ହାଇକୋର୍ଟ ଗଲା ସୌମ୍ୟ ମର୍ଡର କେସ୍‌

ସତ୍ୟଶିଖା(କଟକ) ୨୭.୦୭.୨୦୨୧: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ଅନ୍ଧାରରେ ବାଡ଼ି ବୁଲାଉଛି ପୁଲିସ୍‌। ଏଯାଏ ପୁଲିସ୍‌ କାହାକୁ ଗିରଫ କରି  ନ ଥିବା ବେଳେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ ତାଙ୍କ ପରିବାର ଲୋକ ସନ୍ତୁଷ୍ଟ ନାହାନ୍ତି। ଶେଷରେ ହାଇକୋର୍ଟରେ ପହଞ୍ଚିଲା ଏହି ହାଇ ପ୍ରୋଫାଇଲ୍‌ ମର୍ଡର କେସ୍‌।

ସୌମ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଆବେଦନ କରିଛି । କେନ୍ଦ୍ର ଗୃହ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରି ବିକାଶ ପରିଷଦ ଆବେଦନ କରିଛି । ଏହାସହ ରାଜ୍ୟ ଗୃହ ସଚିବ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଗଜପତି ଜିଲ୍ଲା ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସୌମ୍ୟଙ୍କ ଶରୀର ୯୫% ପୋଡ଼ି ଯାଇଥିବାରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପାକସ୍ଥଳି ଖାଲି ଥିବା ଓ ସେଥିରୁ କୌଣସି ଦୁର୍ଗନ୍ଧ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୬ ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Exit mobile version