ସତ୍ୟଶିଖା (ଭୁବନେଶ୍ୱର) ୧୦/୧୨/୨୦୨୦ : ଆଇଏଫ୍ଏସ୍ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ନାମରେ ହୋଇଥିବା ଠକେଇ ମାମଲା ବାବଦରେ କମିସନରେଟ୍ ପୁଲିସ ଆଜି କୋର୍ଟଙ୍କୁ ଅବଗତ କରିଛି । ଖାରବେଳ ନଗର ଥାନା ପକ୍ଷରୁ ଲିଖିତ ଭାବେ ଏହି ମାମଲା ସମ୍ପର୍କରେ ଭୁବନେଶ୍ୱର ଏସ୍ଡିଜେଏମ୍ଙ୍କ କୋର୍ଟରେ ଉପସ୍ଥାପନ କରାଯାଇଛି । ସ୍କାଏ କିଙ୍ଗ୍ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହେବା ପରେ ପୁଲିସ ଉଭୟ ବାପ-ପୁଅଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା । ଉଭୟ ଜେଲ୍ରେ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା । ଏଣୁ କୋର୍ଟ ଜରିଆରେ ଅଭିଯୁକ୍ତଙ୍କୁ ଅବଗତ କରାଯାଇଛି । ଏହି ଆବେଦନ ଗ୍ରହଣ ହେବା ପରେ ପୁଲିସ ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ବୋଲି ଜଣାପଡ଼ିଛି । ଅନ୍ୟପଟେ ଆକାଶର ସ୍ପେସିମେନ୍ ଦସ୍ତଖତ ସଂଗ୍ରହ କରାଯାଇଛି । ଏହି ଦସ୍ତଖତ ସହ ଟାଟା ମୋଟର୍ସ ଲେଟର ପ୍ୟାଡ୍ରେ ଥିବା ବିଭିନ୍ନ ଦସ୍ତଖତର ସାମଞ୍ଜସ୍ୟ ପରୀକ୍ଷା କରିବା ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ପଠାଯାଇଛି ।
ଖୁବ୍ଶୀଘ୍ର ହେବ ରିମାଣ୍ଡ ଆବେଦନ : ପାଠକ ମାମଲା
