
ସତ୍ୟଶିଖା (ପାଟନା) ୨୮/୧୦/୨୦୨୦ : ବିହାରରେ ଆଜି, ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ କେନ୍ଦ୍ରରେ ଲୋକେ ସକାଳୁ ଭୋଟ ଦେବା ପାଇଁ ଛିଡା ହୋଇଛନ୍ତି । ତମାମ ନେତା ଲୋକଙ୍କୁ ବଢ଼େଇଚଢେଇ ମତଦାନ ପାଇଁ ଅପିଲ କରିଛନ୍ତି । ଏମିତି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି । ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି । ଏହାସହ ସେ ବିହାରରୁ ପଳାୟନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ।ସୋନୁ ସୁଦ୍ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ‘ଯେଉଁଦିନ ଆମ ବିହାର ଭାଇମାନଙ୍କୁ ନିଜ ଘର ଛାଡି କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବନି, ଯେଉଁଦିନ ଅନ୍ୟ ରାଜ୍ୟର ଲୋକ କାମ ପାଇଁ ବିହାର ଆସିବେ ସେହିଦିନ ଦେଶର ବିଜୟ ହେବ । ଭୋଟ୍ ପାଇଁ ବଟନ୍ ଆଙ୍ଗୁଠିରେ ନୁହେଁ ବୁଦ୍ଧି ସାହାଯ୍ୟରେ ଚାପିବେ ।’ ସୋନୁ ସୁଦଙ୍କ ଛଡା ଅଭିନେତ୍ରୀ ଓ କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଟ୍ୱିଟ୍ କରି ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍ କରିଛନ୍ତି ।
ଉର୍ମିଳା ମାତୋଣ୍ଡକର ଟ୍ୱିଟ କରି କହିଛନ୍ତି, ‘ସ୍ନେହର ବିହାରର ଭାଇଭଉଣୀ, ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ନିଜର ଭୋଟ ନିଶ୍ଚୟ ଦେବେ ଏବଂ ଦୟାକରି ଏହି ସ୍ଥିତିକୁ ନିଶ୍ଚୟ ମନେରଖିବେ ।’ ଏହାସହ ସେ ହେସଟ୍ୟାଗ ସହ ବିହାର ନିର୍ବାଚନ, ବିହାର ବିଧାନସଭା ନିର୍ବାଚନ ଓ ବିହାର ଇଲେକ୍ସନ୍ ୨୦୨୦ ଲେଖିଛନ୍ତି । ସୂଚନା ଅନୁଯାୟୀ, ବିହାରରେ ତିନିଟି ପର୍ଯ୍ୟାୟରେ ମତଦାନ ହେବ । ଭୋଟ୍ ଗଣତି ଆସନ୍ତା ନଭେମ୍ବର ୧୦ ତାରିଖରେ ହେବ ।
ସୂଚନାଯୋଗ୍ୟ ଯେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଚଳିତ ବର୍ଷ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଦୁର୍ଗା ପୂଜା ସମିତି ନିଜ ପୂଜା ମଣ୍ଡପରେ ସୋନୁଙ୍କ ଷ୍ଟାଚ୍ୟୁ ଲଗାଇଥିଲା । ଆବଶ୍ୟକୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଲୋକେ ତାଙ୍କ ଠାରୁ ପ୍ରେରଣା ପାଇବେ ବୋଲି ସମିତି ସୋନୁଙ୍କ ଷ୍ଟାଚ୍ୟୁ ସ୍ଥାପନା କରିଛି ବୋଲି ସମିତି ସଭ୍ୟ କହିଛନ୍ତି ।