ସତ୍ୟଶିଖା (ମୁମ୍ବାଇ) ୧୪.୧୨.୨୦୨୦ : କରୋନା କାଳରେ ଲକଡାଉନ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଦେଶର ହଜାର ହଜାର ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରକୁ ଯିବାକୁ ସାହାଯ୍ୟ କରିଥିଲେ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି ଅନ୍ୟ ଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ନିଜ ଦେଶକୁ ଫେରିଆ ଆଣିବା, ଆବଶ୍ୟକୀୟଙ୍କୁ ସାହାଯ୍ୟ କରିବା, ଅଭାବୀ ଲୋକଙ୍କୁ କାମ ଯୋଗାଇଦେବା ଭଳି ଅନେକ ମହତ କାର୍ଯ୍ୟ କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ଏବେ ମଧ୍ୟ ଜାରି ରଖିଛନ୍ତି ଅଭିନେତା । ଲକ୍ଷ ଲକ୍ଷ ଲୋକ ତାଙ୍କ ଦ୍ୱାରା ଉପକୃତ ହୋଇଛନ୍ତି । ଲୋକଙ୍କୁ ସାହାଯ୍ୟ କରି ସେ ଦେଶବାସୀଙ୍କ ହୃଦୟ ଜିଣିଛନ୍ତି । ଲୋକଙ୍କୁ ଅନେକ ପ୍ରକାରେ ସାହାଯ୍ୟ କରିଥିବାରୁ ସୋନୁ ସୁଦଙ୍କ ସମ୍ମାନ ବହୁ ଗୁଣ ବୃଦ୍ଧି ପାଇଛି । ଲୋକେ ତାଙ୍କୁ ଭଗବାନଙ୍କ ଭଳି ପୂଜା କରୁଛନ୍ତି ।
ସେ ଲଗାତାର ଗରିବ ଅଭାବୀଙ୍କୁ ସାହାଯ୍ୟ କରିଚାଲିଛନ୍ତି। ବର୍ତ୍ତମାନ ସେ କରୋନା କାଳରେ ଚାକିରୀ ହରାଇଥିବା ଲୋକଙ୍କ ପାଇଁ ଇ-ରିକ୍ସା ଯୋଗାଇବାକୁ ଯୋଜନା କରୁଛନ୍ତି । ‘ନିଜେ ରୋଜଗାର କର ଘର ଚଳାଅ’ ନାମକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ଆବଶ୍ୟକୀୟ ଲୋକ ଇ-ରିକ୍ସା ପାଇପାରିବେ । ଏହି ଯୋଜନା ଜରିଆରେ ସେ ଚାକିରୀ ହରେଇଥିବା ଲୋକଙ୍କୁ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି ।