ପ୍ରଣବ ଙ୍କ ସ୍ମୃତିଲେଖ ପୁସ୍ତକ ପ୍ରକାଶ ପାଇଁ ପୁଅ-ଝିଅ ମୁହାଁମୁହିଁ

ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ଶେଷ ସ୍ମୃତିଲେଖ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ପ୍ରକାଶନକୁ କେନ୍ଦ୍ର କରି କଂଗ୍ରେସ କେବଳ ସଂକଟରେ ପଡ଼ି ନାହିଁ; ବରଂ ପ୍ରଣବଙ୍କ ପୁଅ ଅଭିଜିତ ଓ ଝିଅ ଶର୍ମିଷ୍ଠାଙ୍କ ମଧ୍ୟରେ ଖୋଲାଖୋଲି ବିବାଦ ଆରମ୍ଭ ହୋଇଯାଇଛି । ସ୍ମୃତିଲେଖର ଏହି ଶେଷ ଖଣ୍ଡ ପ୍ରକାଶନ ନେଇ ଉଭୟ ମୁହାଁମୁହିଁ ହୋଇଛନ୍ତି । ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ ଏହାର କିୟଦଂଶ ତିନି ଦିନ ପୂର୍ବେ ଗଣମାଧ୍ୟମରେ ପ୍ରକାଶିତ ହୋଇ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା ।
ଏହାକୁ ଦୃଷ୍ଟିରେ ରଖି ଅଭିଜିତ ପ୍ରକାଶକଙ୍କୁ ତୁରନ୍ତ ପୁସ୍ତକର ପ୍ରକାଶନ ବନ୍ଦ କରିବାକୁ କହିଥିବାବେଳେ ଶର୍ମିଷ୍ଠା ଏହାର ପ୍ରତିବାଦ କରିଛନ୍ତି । ସେ ଭାଇ ଅଭିଜିତଙ୍କୁ ପୁସ୍ତକ ପ୍ରକାଶନରେ ଅନାବଶ୍ୟକ ବାଧା ସୃଷ୍ଟି ନ କରିବାକୁ ତାଗିଦା କରିଛନ୍ତି । ବାପା (ପ୍ରଣବ) ମୃତ୍ୟୁ ପୂର୍ବରୁ ଏବଂ ସଚେତନ ଅବସ୍ଥାରେ ପୁସ୍ତକକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ବାପାଙ୍କ ହସ୍ତାକ୍ଷରରେ ପୁସ୍ତକର ପାଣ୍ଡୁଲିପି ଉପଲବ୍ଧ; ତେଣୁ ଏହାର ପ୍ରକାଶନ ଅବଶ୍ୟମ୍ଭାବୀ ବୋଲି ଶର୍ମିଷ୍ଠା କହିଛନ୍ତି । ଦେଶର ଅନ୍ୟତମ ଖ୍ୟାତନାମା ପ୍ରକାଶନ ସଂସ୍ଥା ‘ରୁପା’ ଏହି ପୁସ୍ତକକୁ ପ୍ରକାଶ କରୁଛି ଏବଂ ଆଉ ମାତ୍ର ମାସକ ବ୍ୟବଧାନରେ ଏହାର ଲୋକାପର୍ଣ କାର୍ଯ୍ୟକ୍ରମ ରହିଛି । ଏଭଳି ପରିସ୍ଥିତିରେ ପୁସ୍ତକର ପ୍ରକାଶନ ଅନ୍ଧକାର ମଧ୍ୟକୁ ଟାଣି ହୋଇଆସିଛି ।
ଅଭିଜିତ ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ ପ୍ରକାଶକ ପୁସ୍ତକର କିଛି ଅଂଶକୁ ଉଦ୍ଦେଶ୍ୟମୂଳକ ଭାବେ ଏବଂ ପରିବାରର ବିନାନୁମତିରେ ସର୍ବସାଧାରଣରେ ପ୍ରଘଟ କରାଇଛନ୍ତି; ତେଣୁ ତୁରନ୍ତ ଏହି ପୁସ୍ତକ ପ୍ରକାଶନକୁ ବନ୍ଦ କରାଯିବା ଆବଶ୍ୟକ ବୋଲି ଲେଖକଙ୍କ ପୁଅ ଭାବେ କହୁଛି । ବାପାଙ୍କ ଅବର୍ତ୍ତମାନରେ ପୁସ୍ତକର ସୂଚୀ ଦେଖିବା ତାଙ୍କର ଦାୟିତ୍ବ ବୋଲି ସେ ଦାବି କରିଛନ୍ତି । ଅପରପକ୍ଷରେ ଭଉଣୀ ଶର୍ମିଷ୍ଠା ପ୍ରକାଶକଙ୍କ ପକ୍ଷ ନେବା ସହ ଟ୍ବିଟର ମାଧ୍ୟମରେ ଖୋଲାଖୋଲି ଭାବେ ଭାଇ ଅଭିଜିତଙ୍କୁ ଜବାବ ଦେଇଛନ୍ତି । ଝିଅ ଭାବେ ସେ ଦାବି କରିଛନ୍ତି ଯେ ଉଭୟ ଭାଇଭଉଣୀଙ୍କର ପିତାଙ୍କ ସ୍ମୃତିଲେଖ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିଛି; ଶସ୍ତା ପ୍ରଚାର ପାଇଁ ପୁସ୍ତକ ପ୍ରକାଶନରେ ଅଯଥା ସମସ୍ୟା ସୃଷ୍ଟି ନ କରନ୍ତୁ ବୋଲି ସେ ଦର୍ଶାଇଛନ୍ତି । ବସ୍ତୁତଃ ପ୍ରଣବଙ୍କ ଦାୟାଦ ଭାବେ ରାଜନୈତିକ ପ୍ରତିଷ୍ଠା ପାଇଁ ଭାଇ-ଭଉଣୀ ପ୍ରୟାସ ଚଳାଇଛନ୍ତି ଏବଂ ପୁସ୍ତକକୁ ନେଇ ସାମ୍ପ୍ରତିକ ବିବାଦ ଏହାର ଏକ ଲକ୍ଷଣ ବୋଲି କୁହାଯାଉଛି । ଅଭିଜିତ ପୂର୍ବତନ ସାଂସଦ ଥିଲାବେଳେ ଶର୍ମିଷ୍ଠା ସର୍ବଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର କର୍ମକର୍ତ୍ତା ଅଛନ୍ତି ।






