ରାଜ୍ୟସ୍ପେଶାଲ୍ ରିପୋର୍ଟ

ସୋନପୁର ସବୁଠାରୁ ଥଣ୍ଡା ଅଂଚଳ

ସତ୍ୟଶିଖା (ଭୁବନେଶ୍ୱର) ୦୨/୧୨/୨୦୨୦ : ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଲାଣି । ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରେକର୍ଡ କରାଯାଇଛି । ଏବେ କିଛି ଦିନ ରାଜ୍ୟର ତାପମାତ୍ରା ଏମିତି ହିଁ ରହିବ । ୪/୫ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଥିଲା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତ‌ାପମାତ୍ରା ସ୍ୱାଭାବିକଠାରୁ କମ୍‌ ରେକର୍ଡ ହୋଇଛି । ୧୦ ଡିଗ୍ରୀରୁ ତଳକୁ ରାଜ୍ୟର ୪ସହରର ପାରଦ ଖସିଛି ।ସବୁଠାରୁ କମ୍‌ ସର୍ବନିମ୍ନ ରାତ୍ରି ତାପମାତ୍ରା ସୋନ୍‌ପୁରଠାରେ ୮.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ, ଫୁଲବାଣୀରେ ୯.୮ ଡିଗ୍ରୀ, ଅନୁଗୁଳରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । ଗତକାଲି ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ୧ଡିଗ୍ରି ତଳକୁ ଖସି ୧୫.୪ ଡିଗ୍ରୀ ରହିଥିଲା।ଅନ୍ୟପ‌ଟେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ଆଜି ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ଘଣ୍ଟା ଭିତରେ ଏହା ସାମୁଦ୍ରିକ ବାତ୍ୟାର ରୂପ ନେବ । ଏହା ୨ ତାରିଖ ରାତି ସୁଦ୍ଧା ଶ୍ରୀଲଙ୍କାର ତ୍ରିକୋମାଲି ଉପକୂଳ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Show More
Back to top button