ଦେଶବିଦେଶରାଜନୀତି

ବାଜପେୟୀଙ୍କ ଜୀବନର କିଛି ଅକୁହା କଥା ନୂଆ ବହିରେ…..

ସତ୍ୟଶିଖା (ନୂଆଦିଲ୍ଲୀ) ୨୩/୧୧/୨୦୨୦ :  ଭାରତର ଜଣେ ସୁଦକ୍ଷ ରାଜନେତା, ଲେଖକ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏବେ ସେ ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଜୀବନୀ ଓ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଉଦାହରଣ ସଦୃଶ । ସେ ଆଜନ୍ମ ଅବିବାହିତ ରହିଥିଲେ । ଅର୍ଥାତ ସେ ବିବାହ କରିନାହାଁନ୍ତି । କିନ୍ତୁ ତାଙ୍କର ଜଣେ ସହପାଠିନୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।  ଏଥିରେ ବାଧକ ସାଜିଥିଲା ଆରଏସଏସ । ତେଣୁ ବାଜପେୟୀଙ୍କୁ ଆରଏସଏସର କୋର୍ ଗ୍ରୁପରୁ ଅଲଗା କରି ରଖାଯାଇଥିଲା । ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଏପରି ଚର୍ଚ୍ଚିତ ବିଷୟ ଉଲ୍ଲେଖ ହୋଇଛି ବିଶିଷ୍ଟ ଲେଖକ ତଥା ରାଜନୈତିକ ଲେଖକ ବିନୟ ସୀତାପତିଙ୍କ ପୁସ୍ତକ ‘ଯୁଗଳବନ୍ଦୀ- ଦି ବିଜେପି ବିଫୋର ମୋଦୀ’ ରେ । ଟାଇମ୍ସ ଅଫ୍ ଇଣ୍ଡିଆ ପୋର୍ଟାଲରେ ଏ ବାବଦରେ ଏକ ଖବର ପ୍ରକାଶ ପାଇବା ପରେ ଭାରତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ. ପାଲଟିଛି ।ପୁସ୍ତକରେ ଲେଖାଯାଇଛି ଯେ, ଯେତେବେଳେ ବାଜପେୟୀ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସେତେବେଳେ ତାଙ୍କୁ  ଦିଲ୍ଲୀର ରାମଜସ୍ ମହାବିଦ୍ୟାଳୟର କୌଣସି ଏକ କାର୍ଯ୍ୟକ୍ରମରେ ଅତିଥି ହୋଇ ଆସିଥିଲେ । ଏଠାରେ ସେ ଚମତ୍କାର ଭାଷଣ ଦେଇଥିଲେ । ତଳେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ରାଜକୁମାରୀ କୌଲ । ସେ ହେଉଛନ୍ତି ଜଣେ ଅଧ୍ୟାପକ ବ୍ରିଜନାଥ କୌଲଙ୍କ ପତ୍ନୀ । କିନ୍ତୁ ସବୁଠାରୁ ରୋଚକ କଥା ହେଉଛି ଯେ, ୧୯୪୧ରେ ବାଜପେୟୀ ଓ ରାଜକୁମାରୀ ଗୋଟିଏ କଲେଜରେ ପାଠ ପଢୁଥିଲେ । ଉଭୟ ଗ୍ଲାଲିଆରର ଭିକ୍ଟୋରିଆ କଲେଜରେ ଶିକ୍ଷାଲାଭ କରୁଥିଲେ । ଶିକ୍ଷା ସମାପ୍ତ ପରେ ଉଭୟେ ଆଉ ପରସ୍ପରକୁ ଭେଟି ନଥିଲେ ।  ଏପରିକି ୧୬ ବର୍ଷ ପରେ ଉଭୟଙ୍କର କୌଣସି ଯୋଗାଯୋଗ ନଥିଲା । ଆହୁରି ମଧ୍ୟ ରାଜକୁମାରୀ ବ୍ରିଜନାଥଙ୍କୁ ଯେ ବିବାହ କରିଛନ୍ତି ତାହା ବାଜପେୟୀଙ୍କୁ ଅଛପା ଥିଲା । କିନ୍ତୁ ସେଦିନ ବାଜପେୟୀଙ୍କ ପୁରୁଣା ସ୍ମୃତି ସବୁ ମନରେ ଉଙ୍କି ମାରିଥିଲା । ପରିଚୟ ମଧ୍ୟ ବଢିଥିଲା । ତାପରେ ବାଜପେୟୀ ବ୍ରିଜନାଥଙ୍କ ଘରକୁ ନିୟମିତ ଭାବେ ଯିବା ଆସିବା ଲାଗି ରହିଥିଲା ।ଅନେକ ସମୟରେ ବାଜପେୟୀଙ୍କ କଳାରଙ୍ଗର କାର୍ ମଧ୍ୟ ମହାବିଦ୍ୟାଳୟର ଛାତ୍ରମାନେ ପ୍ରଫେସର ବ୍ରିଜନାଥଙ୍କ ଘର ସାମ୍ନାରେ ଦେଖିଛନ୍ତି । ରାଜକୁମାରୀଙ୍କ ସନ୍ତାନମାନଙ୍କୁ ବାଜପେୟୀ ଶ୍ରଦ୍ଧା ଓ ସ୍ନେହ କରୁଥିଲେ । ରାଜକୁମାରୀଙ୍କ ସାନ ଜିଅ ଗୁନୁଙ୍କୁ ବାଜପେୟୀ କୁଆଡେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ପୁସ୍ତକରେ ଉଲ୍ଲଖ ରହିଛି ।ବାଜପେୟୀଙ୍କୁ ରାଜକୁମାରୀଙ୍କ ବୌଦ୍ଧିକ ଜ୍ଞାନ, ନରମ ସ୍ୱରରେ ଇଂରାଜୀ ଭାଷାରେ କଥାବାର୍ତ୍ତା ପସନ୍ଦ ଆସିଥିଲା । କାରଣ ରାଜକୁମାରୀ ସହରରେ ରହୁଥିଲେ । ମୂଳତଃ କାଶ୍ମୀର ପଣ୍ଡିତ ପରିବାରର ଥିଲେ ରାଜକୁମାରୀ । କାଶ୍ମୀର ପଣ୍ଡିତଙ୍କର ଜବାହାର ଲାଲ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ବାବଦରେ ଅବଗତ ଥିଲେ ରାଜକୁମାରୀ । ଆହୁରି ମଧ୍ୟ ଇନ୍ଦିରା ଗାନ୍ଧୀଙ୍କର ସମ୍ପର୍କୀୟ ଉଭଣୀ ଥିଲେ ରାଜକୁମାରୀ ।ସବୁଠାରୁ ବଡ କଥା ହେଉଛି ଯେ, ବାଜପେୟୀଙ୍କ ପ୍ରେମ ସମ୍ପର୍କ ବାବଦରେ ଆରଏସଏସ ଜାଣିପାରିଥିଲା । ସେହି ସମୟରେ ବାଜପେୟୀ ଆରଏସଏସର ଜଣେ ଯୁବ ସଙ୍ଗଠକ ଥିଲେ । ଆରଏସଏସ ଚାହୁଁନଥିଲା ଯେ ରାଜକୁମାରୀଙ୍କ ସହ ମିସିବା ପରେ ବାଜପେୟୀ ଉଦାରବାଦୀ, ଧର୍ମନିରପେକ୍ଷ ହୁଅନ୍ତୁ । ତତ୍କାଳୀନ ଆରଏସଏସ ମୁଖ୍ୟ ଏମଏସ ଗୋଲଓ୍ୱାଲକର ୧୯୬୫ରେ ନାଗପୁରରୁ ଦିଲ୍ଲୀ ଯାଇ ଆରଏସଏସର ଅନ୍ୟ ନେତାଙ୍କ ସହ ଏ ବାବଦରେ ଆଲୋଚନା କରିଥିଲେ । ରାଜକୁମାରୀଙ୍କଠୁ ଅଲଗା ହେବାକୁ ମଧ୍ୟ ବାଜପେୟୀଙ୍କୁ ସେ କହିଥିଲେ । କିନ୍ତୁ ରାଜି ହୋଇନଥିଲେ ବାଜପେୟୀ । ଏହାପରଠୁ ବାଜପେୟୀଙ୍କୁ ଆରଏସଏସର କୋର୍ ଗ୍ରୁପରୁ ବାହାରେ ରଖାଯାଇଥିଲା । ଏହାସହ ଆରଏସଏସ ଓ ବାଜପେୟୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ଅବିଶ୍ୱାସ ଜନ୍ମ ନେଇଥିଲା ।ପୁସ୍ତକରେ ସୀତାପତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, କେବଳ ଆରଏସଏସର ନେତା ନୁହେଁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ବାଜପେୟୀଙ୍କ ପ୍ରେମ ସମ୍ପର୍କ ବାବଦରେ ଅଜ୍ଞାତ ନଥିଲେ । କିନ୍ତୁ ଆଡଭାନୀ ସେହି ସମୟରେ ଅସନ୍ତୁଷ୍ଟ ହେଲେ ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜକୁମାରୀଙ୍କ ଝିଅ ଓ ଜ୍ୱାଇଁ ମଧ୍ୟ କ୍ଷମତାର ଭରପୁର ଫାଇଦା ନେଉଥିଲେ । ଆଡଭାନୀ ୨୦୦୧ରେ ଏକ ଭୋଜିରେ ବାଜପେୟୀଙ୍କ ସହ ଏ ବାବଦରେ କଥା ମଧ୍ୟ ହୋଇଥିଲେ । ଏହାର ଜବାବ ରଖିଥିଲେ ବାଜପେୟୀ । ସେ କହିଥିଲେ ଯେ, ଆରଏସଏସର କିଛି ନେତା ରାଜକୁମାରୀଙ୍କ ଝିଅ ଓ ଜ୍ୱାଇଁଙ୍କ ବାବଦରେ ଗୁଜବ ସୃଷ୍ଟି କରୁଛନ୍ତି । ଏହା ସତ୍ତ୍ୱେ ଆଡବାନୀଙ୍କ ସହ ବାଜପେୟୀଙ୍କ ମିତ୍ରତା ଜାରି ରହିଥିଲା । ସବୁକୁ ବେଖାତିର କରି ବାଜପେୟୀ ବ୍ୟକ୍ତିଗତ ଜୀବନ ସହ କର୍ତ୍ତବ୍ୟକୁ ମଧ୍ୟ ସୂଚାର ରୂପେ ପାଳନ କରିଥିଲେ ।

Show More
Back to top button