ସତ୍ୟଶିଖା (ନୂଆଦିଲ୍ଲୀ) ୧୯/୦୧/୨୦୨୧ : ବିଶ୍ୱର ସର୍ବବୃହତ୍ ଇଲେକ୍ଟ୍ରୋନିକ୍ସ ସୋ’ ଆମେରିକାର ଲାସ ଭେଗାସ୍ଠାରେ ନିକଟରେ ଶେଷ ହୋଇଛି । ଚଳିତବର୍ଷ କୋଭିଡ୍ କଟକଣା ଯୋଗୁ ଏହି ପ୍ରଦର୍ଶନୀ ଅନଲାଇନ୍ରେ ଏହା ହୋଇଥିଲା । ତେବେ ୨୦୨୧ ମସିହାର ଏହି ପ୍ରଦର୍ଶନୀରେ ଏଭଳି ଅନେକ ସାମଗ୍ରୀ ପ୍ରଦର୍ଶନ କରାଯାଇଛି ଯାହା କି ଚର୍ଚ୍ଚାର ବିଷୟ ପାଲଟିଛି । ସ୍ମାର୍ଟ ଯୁଗରେ ସ୍ମାର୍ଟ ଲୋକଙ୍କ ପାଇଁ କମ୍ପାନି ଗୁଡ଼ିକ ସ୍ମାର୍ଟ ଉତ୍ପାଦ ଆଣିଛନ୍ତି । ସେହି ସ୍ମାର୍ଟ ଉତ୍ପାଦ ମଧ୍ୟରେ ଲୋରିଏଲ୍ର ସ୍ମାର୍ଟ ଲିପ୍ଷ୍ଟିକ୍, ନିନୁ କମ୍ପାନିର ସ୍ମାର୍ଟ ପର୍ଫ୍ୟୁମ୍ ଏବଂ ରେଜର୍ କମ୍ପାନିର ସ୍ମାର୍ଟ ମାସ୍କ ପ୍ରଦର୍ଶନ କରାଯାଇଛି ।
ସ୍ମାର୍ଟ ଲିପ୍ଷ୍ଟିକ୍
ସ୍ମାର୍ଟ ଲିପ୍ଷ୍ଟିକ୍ରେ ମନ ପସନ୍ଦର କଲର ସେଡ୍ ପ୍ରସ୍ତୁତ କରାଯାଇ ପାରୁଛି । ଏହାକୁ ଏକପ୍ରକାର କଲର ପ୍ରିଣ୍ଟର ମଧ୍ୟ କୁହାଯାଇପାରେ । ଏହାସହିତ ୧୨ଟି କଲର୍ କ୍ୟାଟ୍ରିଜ୍ ବି ମିଳିବ । ଲିପ୍ଷ୍ଟିକ୍ରେ ୩ଟି କଲର କ୍ୟାଟ୍ରିଜ୍କୁ ଲଗାଇ ସେଡ୍ସ ପ୍ରସ୍ତୁତ କରାଯାଇ ପାରିବ । ଏଥିପାଇଁ ଲୋରିଏଲ ଆପ୍ରେ କଲର୍ ଚୟନ କରିବାକୁ ହେବ । ଏଥିସହିତ ୩ଟି କଲର କ୍ୟାଟ୍ରିଜ୍କୁ ମିଶାଇ ନୂଆ ସେଡ୍ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏହି ଉତ୍ପାଦ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ତେବେ କେଉଁଠି କେଉଁଠି ଏହା ମିଳିବ ତାହା ଜଣାପଡ଼ୁନାହିଁ । କିନ୍ତୁ ଏହାର ମୂଲ୍ୟ ପ୍ରାୟ ୨୧ ହଜାର ୮୦୦ ଟଙ୍କା ରହିବ ।
ନିନୁ କମ୍ପାନି ପକ୍ଷରୁ ସ୍ମାର୍ଟ ପର୍ଫ୍ୟୁମ୍ ଉପସ୍ଥାପିତ କରାଯାଇଛି । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଅଲଗା ଅଲଗା ରହିଛି । ଏହାର ବିଶେଷତ୍ବ ହେଲା ଜଣେ ବ୍ୟକ୍ତି ତାଙ୍କର ମୁଡ୍ ଅନୁସାରେ ପର୍ଫ୍ୟୁମ୍ର ସୁଗନ୍ଧରେ ପରିବର୍ତ୍ତନ ଆଣିପାରିବେ । ଏଥିରେ ୩ଟି ଅଲଗା ଅଲଗା ସୁଗନ୍ଧର ଉପାଦାନ ରଖାଯାଇ ପାରୁଛି । ତାହାକୁ ମିଶାଇ ମନ ପସନ୍ଦର ସୁଗନ୍ଧ ବାଲା ପରର୍ଫ୍ୟୁମ ପ୍ରସ୍ତୁତ ହୋଇପାରୁଛି । ପର୍ଫ୍ୟୁମ୍ ଉପକରଣଟିକୁ ସ୍ମାର୍ଟଫୋନ ଆପ୍ରେ ନିୟନ୍ତ୍ରିତ କରାଯାଇ ପାରୁଛି । ପରଫ୍ୟୁମ ପ୍ରସ୍ତୁତ ହୋଇଗଲାପରେ ବଟନ ଚିପି ବ୍ୟବହାର କରାଯାଇ ପାରିବ । ରିଫିଲ ଶେଷ ହୋଇଗଲେ ଏଲଇଡି ଲାଇଟ୍ରେ ଆଲର୍ଟ ସୂଚନା ଏଥିରେ ମିଳୁଛି । ତେବେ ବଜାରରେ ଏବେ କେବେଠାରୁ ଏବଂ କେତେ ଦରରେ ମିଳିବ ତାହାର ସୂଚନା ଦିଆଯାଇ ନାହିଁ ।
ଇଲେକ୍ଟ୍ରୋନିକ୍ସ ସୋ’ରେ ସ୍ମାର୍ଟ ମାସ୍କର କନସେପ୍ଟକୁ ଉପସ୍ଥାପିତ କରାଯାଇଛି । ଏହି ପ୍ରକଳ୍ପର ନାମ ପ୍ରୋଜେକ୍ଟ ହେଜଲ ଦିଆଯାଇଛି । ଏହା ଏନ୍୯୫ କ୍ଲାସର ଫେସ୍ ମାସ୍କ । ଏଥିରେ ଭେଣ୍ଟିଲେସନ ସୁବିଧା ରହିଛି । ଏଥିସହିତ ଇଣ୍ଟରନାଲ ଲାଇଟ୍ ବି ରହିଛି ଯାହା ଅନ୍ଧାର ହେବା ମାତ୍ରେ ଆପେ ଆଲୋକିତ ହୋଇଯିବ । ଏହାବ୍ୟତୀତ ଉକ୍ତ ମାସ୍କଟି ଟ୍ରାନ୍ସପରେଣ୍ଟ ମଧ୍ୟ ହୋଇଯାଉଛି ଯାହାଦ୍ବାରା ଲୋକର ମୁହଁ ଦେଖାଯାଇ ପାରୁଛି । ଏଥିରେ ଲୋ-ଲାଇଟ୍ ମୋଡ୍, ଇନ୍ବିଲ୍ଟ ମାଇକ୍ ଏବଂ ଆମ୍ପ୍ଲିଫାୟର ମଧ୍ୟ ରହିଛି । ତେବେ ଏହା କେବେ ବଜାରକୁ ଆସିବ ତାହା ସ୍ପଷ୍ଟ ହୋଇନାହିଁ ।