ସତ୍ୟଶିଖା( କଟକ ) ୧୫ .୦୫.୨୦୨୧: ରାଜ୍ୟରେ ବିଭିନ୍ନ ଜେଲ୍ରୁ ୪୭୦ କଏଦୀ ଏବେ ମୁକ୍ତ ହେବେ। ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡାଯିବ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ଜବାବ ପରେ ହାଇକୋର୍ଟ ଏହାର ଷ୍ଟାଟସ୍ ରିପୋର୍ଟ ମେ’ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଛନ୍ତି।
କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ଓ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ରେ ଅନେକ କଏଦୀ ଜାମିନ୍ ପାଇବା ସତ୍ତ୍ୱେ ବାହାରି ପାରୁ ନାହାନ୍ତି। ଏହି କଏଦୀଙ୍କ ନିକଟରେ ବେଲ୍ ବଣ୍ଡ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ସେମାନଙ୍କୁ ଜେଲ୍ରେ ରହିବାକୁ ପଡୁଛି। ଏହି କଏଦୀଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ଆମିକସକ୍ୟୁରୀ ଗୌତମ ମିଶ୍ର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହାଇକୋର୍ଟ ରାଜ୍ୟ ଆଇନସେବା ପ୍ରାଧିକରଣକୁ ଏହି କଏଦୀଙ୍କ ପାଇଁ ସହାୟତାର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା ଶ୍ରୀ ମିଶ୍ର ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଉପରେ ଜବାବ ରଖି ରାଜ୍ୟ ସରକାର ଦର୍ଶାଇଥିଲେ ଏହି କଏଦୀଙ୍କ ମୁକ୍ତି ଲାଗି ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଥିଲା। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଓ ଏହି କମିଟିର ଅନୁମୋଦନକ୍ରମେ ପ୍ରତ୍ୟେକ ଜେଲ୍ କର୍ତ୍ତୃପକ୍ଷଙ୍କୁ ଏହିଭଳି କଏଦୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ ଲାଗି କୁହାଯିବ।
ଜେଲ୍ ସଂସ୍କାରକୁ ନେଇ ହାଇକୋର୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବଙ୍କ ସହ ମିଶି ଅଚାନକ ଜେଲ୍ ପରିଦର୍ଶନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ପରେ ଜେଲ୍ର ସ୍ଥିତି, ବନ୍ଦୀଙ୍କ ସ୍ଥିତି, ଜେଲ୍ରେ କେତେ କଏଦୀ ରହୁଛନ୍ତି ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ, ବସ୍ତ୍ର ଏବଂ ମନୋରଞ୍ଜନର ବ୍ୟବସ୍ଥା କ’ଣ ରହିଛି ତାହାର ଏକ ମିଳିତ ରିପୋର୍ଟ ଅଦାଲତଙ୍କ ନିକଟରେ ଦାଖଲ କରିବେ।