ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ୪ତାରିଖରୁ ପାଗରେ ହେବ ପରିବର୍ତ୍ତନ…..


ସତ୍ୟଶିଖା : ମୌସୁମୀ ଆସୁଛି, କିନ୍ତୁ ଗାଏବ୍ , ବର୍ଷା ନାହିଁ । ଯାହାଫଳରେ ବିଲ ଫାଟି ଆଁ କରିଛି । ଜମି ଶୁଖିଲା ପଡ଼ିଛି । ବର୍ଷା ଅପେକ୍ଷାରେ ଧାନ ତଳି ପୋଡ଼ିଗଲାଣି । ଉପକୂଳ ଓଡ଼ିଶା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷା ପାଇଁ ଅପେକ୍ଷା କରିଛି ଚାଷୀ । ଏମିତି ସ୍ଥିତିରେ ଆଶା ଦେଖାଇଛି ପାଣିପାଗ ପୂର୍ବାନୁମାନ । ଆଜି ଠାରୁ ୩ ଦିନ ପାଇଁ ରାଜ୍ୟରେ ଅଳ୍ପରୁ ମଧ୍ୟମ ବର୍ଷା ହେବ । ଆସନ୍ତା ୪ ତାରିଖରୁ ବଡ଼ ବର୍ଷାର ସମ୍ଭାବନା ଅଛି। ଯାହାକି ଚାଷ କାମ ଆଗେଇବାରେ ସହାୟକ ହେବ । ରାଜ୍ୟରେ ଏବେ ମୌସୁମୀ ବର୍ଷାର ଦେଖା ନାହିଁ । ଗତ ୫-୭ ଦିନ ହେଲାଣି ଅଧିକାଂଶ ଅଞ୍ଚଳ ଶୁଖିଲା ପଡ଼ିଛି । ରାଜ୍ୟର ମୋଟ ବର୍ଷା ପରିମାଣ ଆଜି ସୁଦ୍ଧା ସ୍ୱାଭାବିକ ରହିଛି । ହେଲେ ଉପକୂଳବର୍ତ୍ତୀ ୭ ଜିଲ୍ଲାରେ ବର୍ଷାର ଘୋର ଅଭାବ ରହିଛି।
ଜୁନ୍ ପହିଲାରୁ ଆଜି ସୁଦ୍ଧା କେନ୍ଦ୍ରାପଡ଼ାରେ ସ୍ୱାଭାବିକ ତୁଳନାରେ ୪୪ ପ୍ରତିଶତ କମ୍ ବର୍ଷା ହୋଇଛି । ଖୋର୍ଦ୍ଧାରେ ୩୭%, ଯାଜପୁରରେ ୩୬%, ପୁରୀରେ ୩୪%, ବାଲେଶ୍ୱରରେ ୨୩%, କଟକ ଓ ଜଗତସିଂହପୁରରେ ୨୦% ଲେଖାଏଁ କମ୍ ବର୍ଷା ହୋଇଛି । ବର୍ଷା ଅଭାବରୁ ଏସବୁ ଉପକୂଳ ଜିଲ୍ଲାର ଢିପ ଅଞ୍ଚଳରେ ଖରାରେ ଧାନ ତଳି ଶୁଖି ଜଳିଗଲାଣି । ଅନେକ ଧାନ ବୁଣି ପାରୁନାହାନ୍ତି । ଯେଉଁମାନେ ଧାନ ବିଣିଥିଲେ, ତାହା ଏଯାଏଁ ଗଜା ହେଲାନି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୨୭,୨୮ ଓ ୨୯ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୨୮ରେ ଅଧିକାଂଶ ଜାଗାରେ ବର୍ଷା ହେବ । ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ବେଶି ବର୍ଷା ସମ୍ଭାବନା ଅଛି । ମାସ ଶେଷ ସୁଦ୍ଧା ଏହି ଜିଲ୍ଲାଗୁଡ଼ିକରେ ହାରାହାରି ୭୦ ମିଲିମିଟର ବର୍ଷା ହୋଇପାରେ । ଆସନ୍ତାକାଲିରୁ ଏଇ ମାସ ଶେଷ ସୁଦ୍ଧା ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାରାହାରି ୩୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଗଜପତି, ଆଭ୍ୟନ୍ତରୀଣ ଗଂଜାମ, ରାୟଗଡ଼ା, ମାଲକାନଗିରିରେ ହାରାହାରି ୫୦ ମିମି ବର୍ଷା ହୋଇପାରେ । ବାକି ଅଞ୍ଚଳରେ ଏହି ସମୟ ଭିତରେ ୩୦ରୁ ୪୦ ମିମି ବର୍ଷା ସମ୍ଭାବନା ଅଛି ।
ଆସନ୍ତା ୩ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ପରିଲକ୍ଷିତ ହେଉଛି । ଏହା ପ୍ରଭାବରେ ୪ରୁ ୬ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଭାରି ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଉପକୂଳଠାରୁ ବେଶି ବର୍ଷା ହୋଇପାରେ । ତଥାପି ଉପକୂଳରେ ଭଲ ବର୍ଷା ହେବ ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିବ । ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ କାଁ ଭାଁ ବର୍ଷା ହେବ । ତେବେ ଜୁଲାଇ ୨ ତାରିଖରୁ ପାଗ ବଦଳିବ । ୪ ତାରିଖରୁ ବର୍ଷା ବଢ଼ିବା ସହିତ ପାଗ ବଦଳିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।
ଡକ୍ଟର ପଶୁପାଳକ କହିଛନ୍ତି, ଉପକୂଳ ଓଡ଼ିଶାରେ ଏଯାବତ୍ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି । ପାଣି ଅଭାବରୁ କେତେକ ଜାଗାରେ ଧାନ ତଳି ପୋଡ଼ିଗଲାଣି । ଯେହେତୁ ଧାନ ବୁଣା ବିଳମ୍ବ ହେଲାଣି, ତେଣୁ ପାଣି ସୁବିଧା ଥିବା ମଧ୍ୟମ କିସମ ଜମିରେ ଚାଷୀ ତଳି ପକାଇ ପାରିବେ । ୪ ତାରିଖରୁ ଭଲ ବର୍ଷା ଥିବାରୁ କିଛି କିଛି ଜଳସେଚନ ସୁବିଧା ଥିବା ଅଞ୍ଚଳରେ ଚାଷୀ ତଳି ପକାନ୍ତୁ । ମଧ୍ୟମ କିସମ ଓ ଖାଲ ଜମିରେ ଧାନ ବୁଣାଯାଇପାରିବ । ତେବେ ଦୀର୍ଘମିଆଦି ବଦଳରେ ମଧ୍ୟମ ମିଆଦି ଧାନ ବୁଣିବାକୁ ସେ ପରାମର୍ଶ ଦେଇଛନ୍ତି ।
ଦକ୍ଷିଣ ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ସେଠାରେ ଚାଷୀ ଧାନ ବୁଣିପାରିବେ । ମାଣ୍ଡିଆ, ମକା, ହରଡ଼, ଚିନାବାଦାମ ମଧ୍ୟ ଫସଲ କରିବାକୁ ସମୟ ଠିକ୍ ରହିଛି ।