ଦେଶନ୍ୟୁଜ୍

ଭାରତକୁ ମହଙ୍ଗା ନପଡୁ ୟୁକ୍ରେନ ଉପରେ ନିରବତା, ଆମେରିକା ଲଗାଇପାରେ କଟକଣା

ସତ୍ୟଶିଖା( ନୂଆଦିଲ୍ଲୀ )୨୫.୦୨.୨୦୨୨ :  ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଏବେ ନିଜ ଦେଶରେ ପୁଟିନ ସରକାରଙ୍କ ବିରୋଧ ଆରମ୍ଭ ହୋଇ ଗଲାଣି। ଫେବୃଆରୀ ୨୪ ରାତିରେ ରୁଷର ସେଣ୍ଟ ପିଟର୍ସବର୍ଗ ଏବଂ ରାଜଧାନୀ ମସ୍କୋ ସହିତ ଅନେକ ସହରରେ ଜନତା ଯୁଦ୍ଧ ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ପ୍ରଥମ ଦିନର ଯୁଦ୍ଧରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ରୁଷ ଲଢୁଆ ବିମାନ ବୋମା ବର୍ଷଣ କରୁଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ୟୁକ୍ରେନ ସଙ୍କଟରେ ବର୍ତ୍ତମାନ ସୁଦ୍ଧା ଭାରତ ମଉନ ରହିଛି। ରୁଷ ସହିତ ପୁରାତନ ସଂପର୍କ ଏହାର ବଡ କାରଣ ହୋଇଥାଇପାରେ।

ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ରୁଷ ସହିତ ପ୍ରତିରକ୍ଷା ସମ୍ବନ୍ଧକୁ ନେଇ ଭାରତ ସହିତ ଆମେରିକାର ମତଭେଦ ସମାଧାନ ହୋଇ ନାହିଁ। ୟୁକ୍ରେନ ଉପରେ ରୁଷର କାର‌୍ୟ୍ୟାନୁଷ୍ଠାନ ଉପରେ ଭାରତର ମାପଚୁପ ଆଭିମୁଖ୍ୟ ଆମେରିକାକୁ ପସନ୍ଦ ଆସିନାହିଁ। ଜୋ ବାଇଡେନ୍ ଇସାରାରେ କହି ଦେଇଛନ୍ତି ଯେ, ଭାରତର ଆଭିମୁଖ୍ୟରେ ଆମେରିକା ସନ୍ତୁଷ୍ଟ ନୁହେଁ। ଏପରିକି ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇ ମଧ୍ୟ ପାରେ।

ବାଇଡେନ ସରକାରଙ୍କ ଚୀନକୁ ନେଇ କଡା ନୀତି ଆଧାରରେ ଭାରତ ଆମେରିକା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ଭାବେ ସାମ୍ନାକୁ ଆସିଛି। ମାତ୍ର ରୁଷ ସହିତ ଭାରତର ଘନିଷ୍ଠତା ଏବଂ ୟୁକ୍ରେନରେ ରୁଷର ସାମରିକ କାର‌୍ୟ୍ୟାନୁଷ୍ଠାନରେ ଭାରତର ନିରବତା ଦୁଇ ଦେଶର ସଂପର୍କକୁ ପ୍ରଭାବିତ କରିପାରେ।

Show More
Back to top button