ସତ୍ୟଶିଖା( ପୁରୀ:)୦୩.୦୮ . ୨୦୨୨:ବେଶ୍ କିଛିଦିନର ନିରବତା ପରେ ପୁଣିଥରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏନ୍ଏମ୍ଏ(ନ୍ୟାସନାଲ୍ ମନୁମେଣ୍ଟ୍ ଅଥରିଟି)କୁ ଅନୁମତି ମାଗିଛି। ଗତ ଜୁଲାଇ ୧୫ ତାରିଖ(ଚିଠି ସଂଖ୍ୟା-୩୯୪୮/୨୫.୭.୨୦୨୨) ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏନ୍ଏମ୍ଏ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ପୂର୍ବ କଥାକୁ ଦୋହରାଇ ପୁଣିଥରେ ଏହି ପ୍ରକଳ୍ପ ପାଇଁ ଶ୍ରୀ ଦାସ ଅନୁମତି ଦେବାକୁ ନିବେଦନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଯେଉଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର(ଶ୍ରୀଜଗନ୍ନାଥ ରିସେପ୍ସନ୍ ସେଣ୍ଟର)କୁ ନେଇ ବିବାଦ ମୁଣ୍ଡ ଟେକିବାପରେ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାଂସ୍କୃତିକ ଉପଦେଷ୍ଟା କମିଟି ନିଷ୍ପତ୍ତି ନେଇଥିଲା, ତାକୁ ପୁନର୍ବାର ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ମଗାଯାଇଛି। ଏଭଳି ସ୍ଥିତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗଠାରୁ ଅନୁମତି ଲୋଡ଼ାଯାଇଥିବାବେଳେ ପୁଣିଥରେ ଚିଠି ଲେଖି ଅନୁମତି ମାଗିବା ପଛରେ କି ରହସ୍ୟ ରହିଛି ବୋଲି ଭକ୍ତ ଓ ସେବାୟତ ମହଲ ପ୍ରଶ୍ନ କରିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୁଣିଥରେ ଅନୁମତି ମାଗିଲା ସଂସ୍କୃତି ବିଭାଗ
୧୪ଟି ନୂଆ ନିର୍ମାଣ, ୨ଟି ମରାମତି ଉପରେ ଚିଠି, ନିଷିଦ୍ଧାଞ୍ଚଳରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଅନୁମତି ମାଗିଲେ
