

ସତ୍ୟଶିଖା (ବାରିପଦା) ୧୧.୦୬.୨୦୨୨: ଜୁନ ୧୬ ରୁ ଅକ୍ଟୋବର ମାସ ୩୧ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକମାନଙ୍କ ପାଇଁ ବନ୍ଦ ହେବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶିପୁର ବ୍ଲକ କାଳିଆଣି ଫାଟକ ପର୍ୟ୍ୟଟକମାନଙ୍କ ପାଇଁ ସାଢେ ଚାରି ମାସ ପର୍ୟ୍ୟନ୍ତ ବନ୍ଦ ରହିବ।
ତେବେ ପ୍ରତିବର୍ଷ ବର୍ଷା ଋତୁ ପାଇଁ ଜୁନ ୧୬ରୁ ଅକ୍ଟୋବର ୩୧ ପର୍ୟ୍ୟନ୍ତ ପର୍ୟ୍ୟଟକମାନଙ୍କ ପାଇଁ ଶିମିଳିପାଳ ବନ୍ଦ କରାଯାଇଥାଏ। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ସଂକୁଳ ଅବସ୍ଥାରେ ରହିଥାଏ। ତେଣୁ ପର୍ୟ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଇଥାଏ । ଏହି ସାଢେ ଚାରି ମାସ ମଧ୍ୟରେ ଅଭୟାରଣ୍ୟ ଭିତରେ ରାସ୍ତା ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ। ନଭେମ୍ବର ୧ ରୁ ଶିମିଳିପାଳକୁ ପ୍ରବେଶ ନିମନ୍ତେ ପର୍ୟ୍ୟଟକମାନଙ୍କୁ ଅନୁମତି ମିଳିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।