ସତ୍ୟଶିଖା ୨୫/୦୧/୨୦୨୧ : ସମ୍ବଲପୁରର ବର୍ଷିଆନ ଓଡିଆ ଚଳଚ୍ଚିତ୍ର ଅଭିନେତା ଶାନ୍ତିସ୍ୱରୁପ ମିଶ୍ରଙ୍କ ପରଲୋକ ହୋଇଛି । ରବିବାର ସନ୍ଧ୍ୟାରେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା । ସେ ବାଥରୁମରେ ପଡି ଆହତ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୭୦ ଦଶକର ସିନେମା ମନର ଆକାଶ, ବନ୍ଧୁ ମହାନ୍ତି ଓ କୃଷ୍ଣ ସୁଦାମା ଆଦି ଓଡିଆ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
‘ମନ ଆକାଶ’ର ଜହ୍ନ, ‘କୃଷ୍ଣସୁଦାମା’ର କାହ୍ନାଙ୍କୁ ଝୁରିବେ ସିତନେପ୍ରେମୀ
ସମ୍ବଲପୁରର ଜଣାଶୁଣା କଳା ସଂଗଠକ ତଥା ପ୍ରୋତ୍ସାହକ ରାହାସ ବିହାରୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ଶାନ୍ତି ସ୍ବରୂପ ମିଶ୍ର (ଟିକୁ ମିଶ୍ର) । ସେ ପଶ୍ଚିମ ଓଡ଼ିଶାର ପ୍ରଥମ ମାଟ୍ରିକୁଲେଟ୍ ଧରଣୀଧର ମିଶ୍ରଙ୍କ ପଞ୍ଚମ ପିଢ଼ି । ଶାନ୍ତି ସ୍ବରୂପ ସତୁରି ଦଶକରେ ୩ଟି ଓଡ଼ିଆ ଚଳଚ୍ଚିତ୍ର କରିଥିଲେ । ୧୯୭୪ରେ ମୁକ୍ତିଲାଭ କରିଥିବା ମନଆକାଶ ଫିଲ୍ମର ପ୍ରଯୋଜକ ଥିଲେ ତାଙ୍କ ପିତା ରାହାସ ବିହାରୀ ମିଶ୍ର । ସେଥିରେ ଶାନ୍ତିସ୍ବରୂପ ମୁଖ୍ୟ ଚରିତ୍ର ଭାନୁ ପ୍ରତାପ ଭୂମିକାରେ ଅଭିନୟ କରିଥିବା ବେଳେ ପ୍ରଶାନ୍ତ ନନ୍ଦ ସହ ଅଭିନେତା ଥିଲେ । ଏହି ଚଳଚ୍ଚିତ୍ରର ଗୀତ ‘ଏ ବନ ଝରଣା, ନାଚି ନାଚି ଯାଆନା’ ତଥା ତାଙ୍କ ପିତାଙ୍କ ଲିଖିତ ସମ୍ବଲପୁରୀ ଗୀତ ‘ବହୁଛେ ହୁରୁହୁରିଆ ଧୁକା, ଫୁଟିଛେ ଫୁଲ’ ଆଜି ବି ସିନେପ୍ରେମୀ ଗୁଣୁଗୁଣାଉଛନ୍ତି । ଏହାଛଡ଼ା ଶାନ୍ତି ସ୍ବରୂପ ୧୯୭୬ରେ ମୁକ୍ତିଲାଭ କରିଥିବା କୃଷ୍ଣସୁଦାମା ସିନେମାରେ କୃଷ୍ଣ ଓ ୧୯୭୭ର ‘ବନ୍ଧୁ ମହାନ୍ତି’ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଚରିତ୍ରରେ ଅଭିନୟ କରିଥିଲେ । ତିନିଟି ଯାକ ଚଳଚ୍ଚିତ୍ରରେ ସେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇ ଚମତ୍କାର ଅଭିନୟ କରିଥିଲେ। ତାଙ୍କ ପିତା ରାହାସ ବିହାରୀ ମିଶ୍ର ନିଜେ ମନଆକାଶ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ । ତିନିଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ନିତାଇ ପାଲିତ୍ (ନିତ୍ୟାନନ୍ଦ ପାଲିତ୍) ।