ସତ୍ୟଶିଖା (ଭୁବନେଶ୍ୱର) ୦୨/୦୨/୨୦୨୧ : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ଆଜି ପୁଲିସକୁ ପ୍ରଥମ ସଫଳତା ମିଳିଛି । ସଂସ୍ଥାର ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇ କିଛି ବାବୁ ଓ ବଡ଼ବଡ଼ିଆଙ୍କ ସହ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗରେ ଅନୁଷ୍ଠାନର ମହିଳା ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁମଞ୍ଜରୀ ଧଳ ଗିରଫ ହୋଇଛନ୍ତି । ତାଙ୍କ ଘର ଯାଜପୁରର ବ୍ରଜରାଜ ନଗର । ଏଭଳି ସଂଗିନ ଅଭିଯୋଗ ଆସିବା ପରେ ସେ ଫେରାର ହୋଇ ଯାଇଥିଲେ । ଆଜି ସକାଳେ ଏୟାରପୋର୍ଟ ଥାନା ପୁଲିସ ଯାଜପୁରରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା । ତାଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ତାଙ୍କ ବୟାନରୁ ସଂସ୍ଥା ସମ୍ବନ୍ଧରେ ପୁଲିସ ଅନେକ ତଥ୍ୟ ଯୋଗାଡ଼ କରିଛି । ଆଗକୁ ଏହି ସବୁ ତଥ୍ୟ ତଦନ୍ତରେ ସହାୟକ ହେବ ବୋଲି ପୁଲିସ କହିଛି ।
ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ଆସିବାର ୪୮ ଘଣ୍ଟା ମଧ୍ୟରେ ପୁଲିସ ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ତେବେ ମୂଳ ଅଭିଯୋଗ ଆସିବା ପରେ ୨ ମାସ ହେଲା ଫେରାର ଥିବା ଏହି ମୁଖ୍ୟ ଅଭିଯୁକ୍ତ ତଥା ଅନୁଷ୍ଠାନର ତତ୍କାଳୀନ ସମ୍ପାଦକ ସୁରେଶ ବେହାରାଙ୍କ ପତ୍ତା ଲଗାଇବାରେ ପୁଲିସ ଏଯାଏ ସମର୍ଥ ହୋଇନାହିଁ ।
ଅଭିଯୋଗ ମୁତାବକ, ଭିନ୍ନକ୍ଷମମାନଙ୍କୁ ତାଲିମ୍ ଦେଇ ଆତ୍ମନିର୍ଭରଶୀଳ କରିବା ପାଇଁ ପଳାସପଲ୍ଲୀଠାରେ ଏହି ଅନୁଷ୍ଠାନ କାମ କରୁଛି । ସୁରେଶ ବେହେରା ଏଠାରେ ପୂର୍ବରୁ କୋଷାଧ୍ୟକ୍ଷ ଥିଲେ । ପରେ ସେ ସମ୍ପାଦକ ପଦ ମାଡ଼ି ବସିଥିଲେ । ସେ ସମ୍ପାଦକ ହେବା ପରେ ତାଙ୍କ ବିରୋଧରେ ଅର୍ଥ ହେରଫେରଠୁ ନେଇ ଯୌନ କେଳେଙ୍କାରୀ ପର୍ଯ୍ୟନ୍ତ ବାରମ୍ବାର ନାନା ଅଭିଯୋଗ ଆସିଥିଲା । ଏହି ଅନୁଷ୍ଠାନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁଦାନ ମିଳୁଥିଲା । ଲକ୍ଷଲକ୍ଷ ଟଙ୍କାର ଅନୁଦାନ ସହ ଘରୋଇ ଦାନ ମଧ୍ୟ ରହିଥିଲା । ଏହି ସବୁ ମୋଟା ଅଙ୍କର ଅର୍ଥ ହେରଫେର ହେଉଥିଲା । ସୁରେଶ ବେହେରା ଏହି ସବୁ ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ରହିଥିଲା । ଉଭୟ ସରକାରଙ୍କ ଅଧିକୃତ ବାବୁମାନେ ଯାଞ୍ଚ କରିବାକୁ ଆସୁଥିଲେ । ହେଲେ ସେମାନଙ୍କୁ ଖୁସି କରାଇ ସ୍ବାର୍ଥ ହାସଲ କରିବାକୁ ସୁରେଶ ବେହେରା ସାଂଘାତିକ ଯୋଜନା କରିଥିଲେ । ଏଠାରେ ପ୍ରଶିକ୍ଷଣ ପାଉଥିବା ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ସଂପୃକ୍ତ ବାବୁମାନଙ୍କ ସହ ରାତି କଟାଇବାକୁ ପଠାଉଥିଲେ । ଏପରିକି ଗୋଟିଏ ରାତି ପାଇଁ ଯୁବତୀମାନଙ୍କୁ ୫ ହଜାର ଟଙ୍କା ଦିଆଯାଉଥିଲା ବୋଲି ଅଭିଯୋଗ ଆସିଛି । ବର୍ଷ ବର୍ଷ ଧରି ଏହି କୁତ୍ସିତ କାରବାର ଚାଲୁଥିଲା । ଏହି ସବୁ କାମରେ ମହିଳା ଟେଲରିଂ ଇନ୍ଷ୍ଟ୍ରକ୍ଟର ମଧୁମଞ୍ଜରୀ ତାଙ୍କୁ ସହାୟତା କରୁଥିବା ଅଭିଯୋଗ ହୋଇଛି । ମୁଖ୍ୟତଃ ମଧୁମଞ୍ଜରୀ ହିଁ ବିଭିନ୍ନ ପ୍ରକାରେ ଫୁସୁଲାଇ ଦିବ୍ୟାଙ୍ଗ ଯୁବତୀମାନଙ୍କୁ ଏଥିପାଇଁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ପୁରୁଣା କର୍ମଚାରୀଙ୍କୁ ଏଠାରୁ ହଟାଇବାରେ ସୁରେଶଙ୍କୁ ସେ ସହାୟତା କରୁଥିଲେ । ତେଣୁ କୋଭିଡ୍ ସମୟରେ ଏଠାରୁ ସମସ୍ତଙ୍କୁ ତଡ଼ି ଦିଆଯାଇଥିବା ବେଳେ କେବଳ ମଧୁମଞ୍ଜରୀଙ୍କୁ ହିଁ ରହିବା ପାଇଁ ସୁଯୋଗ ଦେଇଥିଲେ ସୁରେଶ । ଜଣେ ଯୁବତୀ ଏଭଳି ଅଭିଯୋଗ ଆଣିବା ପରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଥିଲା ଏବଂ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା ।
ତେବେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଅଦ୍ୟାବଧି ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ଖୁବ୍ଶୀଘ୍ର ସେ ଧରାପଡ଼ିଯିବେ ବୋଲି ପୁଲିସ କହିଛି ।