ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଇଛନ୍ତି ବୋଲି ଗତ ମାସ ତାଙ୍କ ବାନ୍ଧବୀ ସୋମାଲିକା ଦାସ ଅଭିଯୋଗ କରିଥିଲେ । ଏହି ରାକେଟରେ ସେ ନିରୀହ ଯୁବତୀଙ୍କୁ ନିୟୋଜିତ କରୁଥିବା ପରି ସାଂଘାତିକ ଅଭିଯୋଗ କରିଥିଲେ ତାଙ୍କ ବାନ୍ଧବୀ ସୋମାଲିକା । ପୁଲିସ୍ ଏହାକୁ ଗମ୍ଭୀରତାର ସହ ନେଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଛି। ଅଭିଯୋଗଟି ଜଣେ ବିଧାୟକଙ୍କ ବିରୋଧରେ ଥିବାରୁ ନିରପେକ୍ଷ ତଦନ୍ତ ପାଇଁ ଜୁଲାଇ ୭ରେ ଜଗତସିଂହପୁର ଏସ୍ପି ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ବିଜୟଶଙ୍କର ଜଣେ ବିଧାୟକ ହୋଇଥିବାରୁ ଏ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା କରିବାକୁ ଅଭିଯୋଗକାରିଣୀ ଦାବି କରିଥିଲେ ବୋଲି ଜଗତସିଂହପୁର ଏସ୍ପି ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଆପୋଷ ଆଲୋଚନା ମଧ୍ୟରେ ଉଭୟ କୋର୍ଟ ମ୍ୟାରେଜ ପାଇଁ ସହମତି ପ୍ରକାଶ କରିଥିଲେ।
ଏହାପରେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବ୍ରେଜିଷ୍ଟ୍ରାର ଅଫିସ୍ରେ ଆବେଦନ କରିଥିଲେ। ଜୁନ ୧୭ ତାରିଖରେ ସୋମାଲିକା ସବ୍ରେଜିଷ୍ଟ୍ରାର ଅଫିସ୍ରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ ପହଞ୍ଚି ନ ଥିଲେ। ଏହି ଘଟଣା ପରେ ତାଙ୍କୁ ବିଜୟଶଙ୍କର ଧୋକା ଦେଇଥିବା ଅଭିଯୋଗ କରିଥିଲେ ସୋମାଲିକା । ପରେ ସେ ସେକ୍ସ ରାକେଟ ଚଳାଉଥିବା ପରି ସଙ୍ଗୀନ ଅଭିଯୋଗ ଆଣିଥିଲେ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଛନ୍ତି ଜଗତସିଂହପୁର ଏସ୍ପି ।