
ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୧୧/୨୦୨୦ : ଗତମାସରେ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍ଙ୍କର ବୁଧବାର ପାହାନ୍ତାରେ ଦେହାନ୍ତ ହୋଇଯାଇଛି । ଶରୀରର ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କଥା ତାଙ୍କ ପୁଅ ଫୈସଲ୍ ପଟେଲ୍ ଟୁଇଟ୍ରେ ଘୋଷଣା କରିଛନ୍ତି ।ଫୈସଲ୍ ଟୁଇଟ୍ କରିଛନ୍ତି: ୨୦୨୦ ନଭେମ୍ବର ୨୫ ତାରିଖ ପାହାନ୍ତା ୩. ୩୦ ସମୟରେ ମୋର ପିତା ଶ୍ରୀଯୁକ୍ତ ଅହମଦ ପଟେଲ୍ଙ୍କର ଦୁଃଖଦ ଏବଂ ଅକାଳ ବିୟୋଗ ହୋଇଥିବା କଥା ଗଭୀର ଦୁଃଖ ଏବଂ ଶୋକରେ ମ୍ରିୟମାଣ ହୋଇ ମୁଁ ଘୋଷଣା କରୁଛି । ପ୍ରାୟ ମାସେ ତଳେ କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଏକାଧିକ ପ୍ରତ୍ୟଙ୍ଗ ଅକାମି ହୋଇଯିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା । ବହୁ ଜନସମାବେଶରୁ ଦୂରେଇ ରହି ଏବଂ ସବୁ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି କୋଭିଡ୍-୧୯ ନିୟମ ଏବଂ କଟକଣା ପାଳନ କରିବା ନିମନ୍ତେ ମୁଁ ସମସ୍ତ ଶୁଭାକାଙ୍କ୍ଷୀମାନଙ୍କୁ ଅନୁରୋଧ କରୁଛି
ଗୁଜରାଟର ଜଣେ ରାଜ୍ୟସଭା ସାଂସଦ ତଥା କଂଗ୍ରେସ କୋଷାଧ୍ୟକ୍ଷ ପଟେଲ୍ ଆଠ ଥର ସାଂସଦ ହୋଇଥିଲେ । ୧୯୭୬ ମସିହାରେ ଗୁଜରାଟର ଭରୁଚ ଜିଲ୍ଲାରେ ପୌର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିବା ପଟେଲ୍ ତିନି ଥର ଲୋକସଭା ଏବଂ ପାଞ୍ଚଥର ରାଜ୍ୟସଭା ସାଂସଦ ହୋଇଥିଲେ । ମଧ୍ୟବର୍ତ୍ତୀକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସେ ଜଣେ ଘନିଷ୍ଠ ସହଯୋଗୀ ବୋଲି ବିବେଚନା କରାଯାଉଥିଲା । ଅଧିକ ଚିକିତ୍ସା ନିମନ୍ତେ ନଭେମ୍ବର ୧୫ ତାରିଖ ଦିନ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲ୍ର ‘ଆଇସିୟୁ’ରେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ମୃତ୍ୟୁ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରି ଟୁଇଟ୍ କରିଛନ୍ତି, ଅହମଦ୍ ପଟେଲ୍ ଜୀଙ୍କ ତିରୋଧାନରେ ଦୁଃଖିତ । ସମାଜ ଓ ଜନତାଙ୍କ ସେବାରେ ସେ ଅନେକ ବର୍ଷ ବିତାଇଥିଲେ । ତୀକ୍ଷ୍ଣ ଧୀଶକ୍ତି ନିମନ୍ତେ ଜଣାଶୁଣା ପଟେଲ୍ କଂଗ୍ରେସ ପାର୍ଟିକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ନିମନ୍ତେ ସ୍ମରଣୀୟ ହୋଇ ରହିବେ । ତାଙ୍କ ପୁଅ ଫୈସଲ୍ ସହ କଥା ହୋଇ ସମବେଦନା ଜଣାଇଛି । ଅହମଦ୍ ଭାଇଙ୍କ ଆତ୍ମା ଶାନ୍ତିରେ ରହୁ ।