

ସତ୍ୟଶିଖା (ଭୁବନେଶ୍ୱର) ୧୩/୦୧/୨୦୨୧ : ଗୋଟିଏ ଫ୍ଲାଟ୍କୁ ବିଲ୍ଡର ଦୁଇ ଜଣଙ୍କୁ ବିକିଛି । ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି । ବିଲ୍ଡରଙ୍କ ଏହି କଳା କାରନାମା ଜଣାପଡ଼ିବା ପରେ ଏବେ ଉକ୍ତ ଫ୍ଲାଟ୍ର ଦୁଇ କ୍ରେତା ହରଡ଼ଘଣାରେ । ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଥିଲେ ବି ବିଲ୍ଡର କର୍ଣ୍ଣପାତ କରୁନାହିଁ । ତେଣୁ କ୍ରେତା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ସେହିଭଳି ବ୍ୟାଙ୍କ ମଧ୍ୟ ବିଲ୍ଡର ବିରୋଧରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରି ବସିଯାଇଛି । ନା ପୁଲିସ ନା ଇଓଡବ୍ଲ୍ୟୁ କେହି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଫ୍ଲାଟ୍ କ୍ରେତା ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ଅଭିଯୋଗ ଅନୁସାରେ ଉକ୍ତ ବିଲ୍ଡର ସଂସ୍ଥା ହେଉଛି ଶୁଭାଦିତ୍ୟ ବିଲ୍ଡ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ । ଏହାର ପ୍ରେପାଇଟର ହେଉଛନ୍ତି ଶୁଭେନ୍ଦୁ ଦାସ । ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ ଶୁଭେନ୍ଦୁ କାର୍ଯ୍ୟାଳୟ ଖୋଲିଥିଲେ ଓ ପଳାସୁଣିରେ ତାଙ୍କ ହାଉସିଂ ପ୍ରକଳ୍ପ ଶୁଭାଦିତ୍ୟ ରେସିଡେନ୍ସିରେ ଫ୍ଲାଟ୍ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲେ । ବିଜ୍ଞାପନ ଦେଖି ବ୍ରହ୍ମେଶ୍ୱର କଲୋନିରେ ରହୁଥିବା ଜ୍ଞାନରଞ୍ଜନ ପାଣିଗ୍ରାହୀ ଏକ ଫ୍ଲାଟ୍ ବୁକିଂ କରିଥିଲେ । ୨୦୧୫ ମସିହାରେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁ ସହ ଚୁକ୍ତି କରିଥିଲେ । ୨୦୧୮ ଶେଷ ସୁଦ୍ଧା ଘର ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା । ପର୍ଯ୍ୟାୟକ୍ରମେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁଙ୍କୁ ୩୫ ଲକ୍ଷ ୬୪ ହଜାର ଟଙ୍କା ଦେଇଥିଲେ । କିନ୍ତୁ ୨୦୧୮ ମସିହାରରେ ଶୁଭେନ୍ଦୁ ଘର ହସ୍ତାନ୍ତର କରିପାରିନଥିଲେ । ଆଉ କିଛି ସମୟ ଅପେକ୍ଷା କରିବାକୁ କହି ସେ ଦିନ ଗଡ଼ାଇ ଚାଲିଥିଲେ । ଇତିମଧ୍ୟରେ ଶ୍ରୀ ପାଣିଗ୍ରାହୀ ଜାଣି ପାରିଲେ ଯେ, ତାଙ୍କ ଫ୍ଲାଟ୍ଟିକୁ ଶୁଭେନ୍ଦୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି । ସେ ଇସି ବାହାର କରିବା ପରେ ଜଣାପଡ଼ିଲା ଯେ ୨୦୧୫ ନଭେମ୍ବର ୧୭ରେ ଶ୍ରୀ ପାଣିଗ୍ରାହୀ ଯେଉଁ ଫ୍ଲାଟ୍ ପାଇଁ ଚୁକ୍ତି କରି ଟଙ୍କା ଦେଇ ଚାଲିଥିଲେ, ସେହି ଫ୍ଲାଟ୍ଟି ୫ ମାସ ତଳୁ ଅର୍ଥାତ୍ ୨୦୧୫ ମସିହା ଜୁନ୍ ୨୨ରେ ଅନ୍ୟ ଜଣେ ଗ୍ରାହକ କିଣି ସାରିଥିଲେ । ବଡ଼ କଥା ହେଉଛି, ଉଭୟ କ୍ରେତାଙ୍କୁ ଏଚ୍ଡିଏଫ୍ସି ବ୍ୟାଙ୍କ୍ ଏହି ଗୋଟିଏ ଫ୍ଲାଟ୍ ପାଇଁ ଋଣ ପ୍ରଦାନ କରିଥିଲା ।
କୌଣସି ପ୍ରକାର ଚଞ୍ଚକତା ପରୀକ୍ଷା କରିବା ପାଇଁ ବ୍ୟାଙ୍କ୍ରେ ସ୍ଵତନ୍ତ୍ର ଅଧିକାରୀ ରହିଛନ୍ତି ଓ ଏଥିପାଇଁ ଗ୍ରାହକ ପ୍ରୋସେସିଂ ଫି’ ପ୍ରଦାନ କରୁଛନ୍ତି । ତେଣୁ ଜୁନ୍ ମାସରୁ ବନ୍ଧା ପଡ଼ିଥିବା ଫ୍ଲାଟ୍ ଉପରେ ବ୍ୟାଙ୍କ୍ କିଭଳି ଅଗଷ୍ଟ ମାସରେ ଆଉ ଥରେ ଋଣ ପ୍ରଦାନ କଲା? ଏଣୁ ବିଲ୍ଡରଙ୍କ କାରସାଦିରେ ବ୍ୟାଙ୍କ୍ର ସହଯୋଗ ଥିବା ଅଭିଯୋଗ ହୋଇଛି । ତେବେ ଗତ ବର୍ଷ ଅଗଷ୍ଟ ମାସରେ ଏଚ୍ଡିଏଫ୍ସି ବ୍ୟାଙ୍କ୍ ପକ୍ଷରୁ ତାପସ ରଞ୍ଜନ ପାଢ଼ୀ ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଇଓଡବ୍ଲୁ ଭୁବନେଶ୍ୱର ଡିସିପିଙ୍କୁ ଏକ ପତ୍ର ମଧ୍ୟ ଲେଖିଛି । ତେବେ ଏ ସବୁ ପଦକ୍ଷେପ ଦ୍ଵିତୀୟ ଥର ଫ୍ଲାଟ୍ କିଣିଥିବା ଶ୍ରୀ ପାଣିଗ୍ରାହୀଙ୍କ ପାଇଁ କିଛି ଲାଭଦାୟକ ହୋଇନାହିଁ । ସେ ଟଙ୍କା ଫେରି ପାଇପାରୁନାହାନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅଭିଯୁକ୍ତ ଶୁଭେନ୍ଦୁକୁ ସୁହାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଅନୁରୂପ ଢ଼ଙ୍ଗରେ ୨ କୋଟି ୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଅଭିଯୁକ୍ତ ଶୁଭେନ୍ଦୁ ଦାସ ପୂର୍ବରୁ ଜେଲ୍ ଯାଇଥିଲେ ଓ ଏବେ ସେ ଜାମିନ୍ରେ ଫେରିଛନ୍ତି ।