ସ୍ୱାଧୀନତା ଦିବସ ଲାଗି ଦିଲ୍ଲୀରେ ବଢ଼ିଲା ସୁରକ୍ଷା – ଲାଲକିଲ୍ଲାରେ ୫ ହଜାର ସୁରକ୍ଷାକର୍ମୀ ମୁତୟନ


ସତ୍ୟଶିଖା(ନୂଆଦିଲ୍ଲୀ) ୧୪.୦୮ .୨୦୨୧:ଆଉ କେଇ ଘଣ୍ଟା ପରେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ଲାଲକିଲ୍ଲା କଡ଼ା ସୁରକ୍ଷା ବଳୟରେ ରହିଛି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହିଠାରୁ ଦେଶକୁ ସମ୍ବୋଧନ କରିବେ।
ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବା ସହ ବହୁ ଭିଆଇପି ବ୍ୟକ୍ତି ମଧ୍ୟ ଯୋଗଦେବେ। ସେଥିପାଇଁ ଲାଲକିଲ୍ଲା ନିକଟ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଦୁର୍ଗ ଚାରିପାଖରେ ୯ଟି ଡ୍ରୋନ୍ କ୍ୟାମେରା ନଜର ରଖିବ। ସେହିପରି ସୁରକ୍ଷା ପାଇଁ ୩୦୦ସିସିଟିଭି କ୍ୟାମେରା ଲଗାଯାଇଛି। ସ୍ୱାଧୀନତା ଦିବସ ପାଇଁ ଲାଲକିଲ୍ଲାରେ ୫ ହଜାର ଯବାନଙ୍କୁ ମୁତୟନ କରାଯାଇଥିଲା ବେଳେ ପୂରା ଦିଲ୍ଲୀ ପାଇଁ ୪୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ଏହାସହିତ ଦିଲ୍ଲୀର ସମସ୍ତ ସୀମାକୁ ବନ୍ଦ କରାଯାଇଛି। ଦିଲ୍ଲୀ ଏୟାରପୋର୍ଟ, ରେଳଷ୍ଟେସନଗୁଡ଼ିକରେ ଯାଞ୍ଚ ପ୍ରକିୟାକୁ କଡ଼ାକଡ଼ି କରାଯାଇଛି।
ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ପାଇଁ ପୂର୍ବରୁ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଛି। ସେହିପରି ଆସନ୍ତାକାଲି ଚାଷୀମାନେ ମଧ୍ୟ ଆନ୍ଦୋଳନ କରିବାର ଯୋଜନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଆଲର୍ଟରେ ରହିଛି।
ଅନ୍ୟପଟେ ଜାନୁଆରି ୨୬, ଗଣତନ୍ତ୍ର ଦିବସରେ ଚାଷୀମାନେ ଲାଲକିଲ୍ଲା ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରେ ଫେଲ୍ ମାରିଥିଲା। ତେଣୁ ଏଥର ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଚାଷୀଙ୍କୁ ରୋକିବା ଦିଲ୍ଲୀ ପୋଲିସ ପାଇଁ ଚାଲେଞ୍ଜ୍ ହେବ ବୋଲି କୁହାଯାଉଛି।






