ପଶ୍ଚିମ ଓଡ଼ିଶାରେ ଟାଇଁ ଟାଇଁ ଖରା ।

ସତ୍ୟଶିଖା :୨୧/୦୪/୨୦୨୫:ଉପକୂଳରେ ଝାଇଁ ମାରି ଦେଉଛି ଗୁଳୁଗୁଳି ପ୍ରକୋପ । ଝାରସୁଗୁଡ଼ା ୪୩.୫ ଡିଗ୍ରୀ ସେଲସିୟସ୍ରେ ଜଳୁଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ ଛୁଇଁଥିଲେ ବି ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ଭଳି ତାତି । ଅଚାନକ ଏମିତି ପ୍ରଚଣ୍ଡ ତାତି ମାଡ଼ି ଆସିଥିବାରୁ ଜନଜୀବନ ନାକେଦମ ହୋଇ ପଡ଼ିଛନ୍ତି । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍ । ୨୬ ତାରିଖବେଳକୁ କାଳବୈଶାଖୀ ବଢ଼ିପାରେ । ଏମିତି ହେଲେ ହିଁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍ । ତାତିଠାରୁ ମାରାତ୍ମକ ହୋଇଥିଲା ଗୁଳୁଗୁଳିର ପ୍ରକୋପ । ଭୁବନେଶ୍ୱରରେ ସକାଳ ସାଢ଼େ ୮ଟାରେ ପାରଦ ୩୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆର୍ଦ୍ରତା ଥିଲା ୮୧% । ହିଟ୍ ଇଣ୍ଡେକ୍ସ ଅନୁସାରେ- ତାପମାତ୍ରା ଓ ଆର୍ଦ୍ରତା ଯୋଗୁ ସେତେବେଳେ ଅନୁଭୂତ ହେଉଥିଲା ୪୨ ଡିଗ୍ରୀ ଭଳି ଗରମ । ଦିନ ସାଢ଼େ ୧୧ଟାରେ ତାପମାତ୍ରା ୩୫.୨ ଡିଗ୍ରୀ, ଆର୍ଦ୍ରତା ୬୭% ଥିଲା । ଅନୁଭୂତ ହେଉଥିଲା ୪୫ ଡିଗ୍ରୀ ସେଲସିୟସ୍ ଭଳି ତାତି । ଦିନ ସାଢ଼େ ୨ଟାବେଳକୁ ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ସେଲସିୟସ୍ (ତାପମାତ୍ରା ୩୭, ଆର୍ଦ୍ରତା ୬୧%) ଭଳି ତାପମାତ୍ରା ।
ସନ୍ଧ୍ୟା ସାଢ଼େ ୫ଟାବେଳେ ଭୁବନେଶ୍ୱରର ଆର୍ଦ୍ରତା ପରିମାଣ ୭୫% ଥିଲା । ଦିନତମାମ ଭୁବନେଶ୍ୱରରେ ଆର୍ଦ୍ରତା ୬୦% ତଳକୁ ଖସିନଥିଲା । ଏଥିରୁ ଅନୁମାନ କରାଯାଇପାରେ, ରାଜଧାନୀବାସୀ ରବିବାର କିଭଳି ଛଟପଟ ହେଉଥିଲେ ଗରମରେ । ଗମଗମ ଝାଳରେ ନାକେଦମ ହୋଇଥିଲେ ସମସ୍ତେ । କେବଳ ଭୁବନେଶ୍ୱର ନୁହେଁ, ସାରା ଉପକୂଳରେ ଏମିତି ସ୍ଥିତି ଥିଲା ରବିବାର । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଯୋଗୁ କଟକ, ଚାନ୍ଦବାଲି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଦିନ ସାଢ଼େ ୨ଟା ବେଳେ ୪୭/୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା । ରବିବାର ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ଥିବାବେଳେ ସ୍ୱାଭାବିକଠାରୁ ୩.୧ ଡିଗ୍ରୀ ଅଧିକ ତାତିରେ ସିଝିଲା । ବଲାଙ୍ଗୀର ତାପମାତ୍ରା ୪୨.୪ ସେଲସିୟସ୍, ଟିଟିଲାଗଡ଼ ୪୨, ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ୪୧.୩, ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮, ରାଉରକେଲା ୪୦.୧, ପାରଳାଖେମୁଣ୍ଡି ୩୯.୮, ଅନୁଗୁଳ ୩୯.୭, ବରଗଡ଼ ୩୯.୬ ଡିଗ୍ରୀ ଥିଲା । ଉପକୂଳରେ ଚାନ୍ଦବାଲି ୩୮, କଟକ ୩୭ ଡିଗ୍ରୀ ଛୁଇଁଥିଲା । ବର୍ତ୍ତମାନ ପୂର୍ବ ଭାରତରେ ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୪ରୁ ୬ ଡିଗ୍ରୀ ବଢ଼ିପାରେ । ୩ ଦିନ ପରେ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି ।