ରାଜ୍ୟରେ ଏବେ ଖୋଲିବନି ସ୍କୁଲ

ସତ୍ୟଶିଖା (ଭୁବନେଶ୍ୱର) ୬/୧୧/୨୦୨୦: ରାଜ୍ୟରେ ଏବେ ଖୋଲିବନି ସ୍କୁଲ । ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି । ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି ।
ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି । ଏ ନେଇ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ସ୍ଵାସ୍ଥ ବିଭାଗର ପରବର୍ତ୍ତୀ ଗାଇଡ୍ ଲାଇନ୍କୁ ଅପେକ୍ଷା କରାଯାଇଛି । ପରବର୍ତ୍ତୀ ଗାଇଡ୍ ଲାଇନ୍ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଥିଲେ । ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍ଲାଇନ୍ରେ ଉଲ୍ଲେଖ କରିଥିଲେ ଏସଆରସି ।
ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ସାହ । ବିଶେଷ କରି ମାଟ୍ରିକ୍ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଆଉ ମାତ୍ର ୩ ମାସ ବାକି ଥିବାରୁ ପ୍ରସ୍ତୁତିରେ ଏହା ବେଶ ସହାୟକ ହେବ ବୋଲି ଛାତ୍ରଛାତ୍ରୀ କହିଥିଲେ । ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସ୍କୁଲ ପରିସର ସହ କ୍ଲାସରୁମ୍ ସଫା ଓ ସାନିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା ।