ସତ୍ୟଶିଖା (ଭୁବନେଶ୍ୱର) ୦୮/୦୧/୨୦୨୧ : ପ୍ରାୟ ୧୦ ମାସ ପରେ ରାଜଧାନୀରେ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ ସ୍କୁଲ ଖୋଲିବା ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍କୁଲ କର୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସରକାରୀ ବିଦ୍ୟାଳୟ ସମେତ ଘରୋଇ ସ୍କୁଲ କ୍ୟାମ୍ପସ୍କୁ ବିଶୋଧନ ସରିଛି । ଶୁକ୍ରବାର ସକାଳୁ ବି ପୁଣିଥରେ ବିଶୋଧନ ହେବ । ସ୍କୁଲ କ୍ୟାମ୍ପସ୍ରେ ଯେପରି କୋଭିଡ୍-୧୯ ନିୟମ ପାଳନ ହେବ, ତାହାର ତଦାରଖ ଲାଗି ୩ଟି ସ୍କ୍ବାଡ୍ ଗଠନ ହୋଇଛି । ଏହି ସ୍କ୍ବାଡ୍ରେ ସାମିଲ ହୋଇଥିବା ସଦସ୍ୟମାନେ ବିଭିନ୍ନ ସମୟରେ ସ୍କୁଲ ଗସ୍ତ କରି କ୍ୟାମ୍ପସ ସ୍ଥିତି ଅନୁଧ୍ୟାନ କରିବେ ।
ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସନ୍ତୋଷ ରାଉତ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ, ସହରର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ । ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ଅଭିଭାବକଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଣିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ତେବେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କ୍ୟାମ୍ପସରେ ପହଞ୍ଚିବାକୁ କୁହାଯାଇଛି । ସେମାନେ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପସ୍ରେ ରହିବେ । କ୍ୟାମ୍ପସ୍ରେ ସାମାଜିକ ଦୂରତା ରକ୍ଷା କରାଯିବ । ଗୋଟିଏ କ୍ଲାସରୁମ୍ରେ ଅତି ବେଶିରେ ୨୫ଜଣ ପିଲା ରହିବେ । ତା’ଠାରୁ ଅଧିକ ପିଲାଙ୍କୁ ଅନୁମତି ନ ଦେବାକୁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି । ସେଥିପାଇଁ ପ୍ରତି ସ୍କୁଲ କ୍ୟାମ୍ପସରେ ଏକ ଫ୍ଲେକ୍ସ ଲଗାଯିବ । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ୬୦ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ଭୁବନେଶ୍ୱର ବ୍ଲକରେ ୨୨ଟି ବିଦ୍ୟାଳୟ ରହିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରତି ସ୍କୁଲରେ ଆଇସୋଲେସନ୍ ରୁମ୍ ଖୋଲା ଯାଇଛି । କ୍ୟାମ୍ପସ ତଦାରଖ ଲାଗି ବ୍ଲକ୍ସ୍ତରୀୟ ମନିଟରିଂ କମିଟି ଗଠନ ହୋଇଛି । ଯେଉଁଥିରେ ବିଇଓ, ଏବିଇଓ, ହାଇସ୍କୁଲ ପ୍ରଧାନଶିକ୍ଷକ, ପିଇଟି ପ୍ରମୁଖ ସମସ୍ୟ ରହିଛନ୍ତି । ଏହାବ୍ୟତୀତ କ୍ଲଷ୍ଟରସ୍ତରରେ ବି କମିଟି ଗଠନ ହୋଇଛି । ଭୁବନେଶ୍ୱର ଓ ବିଏମ୍ସିରେ ମୋଟ ୨୬ଟି କ୍ଲଷ୍ଟର ରହିଛି । କ୍ଲଷ୍ଟରସ୍ତରରେ ଗଠନ ହୋଇଥିବା କମିଟିରେ ସିଆରସିସି, ବରିଷ୍ଠ ଶିକ୍ଷକ, ପ୍ରଧାନ ଶିକ୍ଷକମାନେ ସାମିଲ ହୋଇଛନ୍ତି । ସେମାନେ ସ୍କୁଲ ବୁଲି ତଦାରଖ କରିବେ । ମାସ୍କ ପିନ୍ଧିବା ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ ହୋଇଛି ।