ନ୍ୟୁଜ୍ରାଜ୍ୟଶିକ୍ଷା

ରାଜଧାନୀରେ ଆଜି ଖୋଲିବ ସ୍କୁଲ

ସତ୍ୟଶିଖା (ଭୁବନେଶ୍ୱର) ୦୮/୦୧/୨୦୨୧ : ପ୍ରାୟ ୧୦ ମାସ ପରେ ରାଜଧାନୀରେ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ । ତେବେ ସ୍କୁଲ ଖୋଲିବା ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍କୁଲ କର୍ତୃପକ୍ଷଙ୍କ ପକ୍ଷରୁ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସରକାରୀ ବିଦ୍ୟାଳୟ ସମେତ ଘରୋଇ ସ୍କୁଲ କ୍ୟାମ୍ପସ୍‌କୁ ବିଶୋଧନ ସରିଛି । ଶୁକ୍ରବାର ସକାଳୁ ବି ପୁଣିଥରେ ବିଶୋଧନ ହେବ । ସ୍କୁଲ କ୍ୟାମ୍ପସ୍‌ରେ ଯେପରି କୋଭିଡ୍‌-୧୯ ନିୟମ ପାଳନ ହେବ, ତାହାର ତଦାରଖ ଲାଗି ୩ଟି ସ୍କ୍ବାଡ୍‌ ଗଠନ ହୋଇଛି । ଏହି ସ୍କ୍ବାଡ୍‌ରେ ସାମିଲ ହୋଇଥିବା ସଦସ୍ୟମାନେ ବିଭିନ୍ନ ସମୟରେ ସ୍କୁଲ ଗସ୍ତ କରି କ୍ୟାମ୍ପସ ସ୍ଥିତି ଅନୁଧ୍ୟାନ କରିବେ ।ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସନ୍ତୋଷ ରାଉତ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ, ସହରର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିବ । ଛାତ୍ରଛାତ୍ରୀ ସ୍କୁଲ ଆସିବା ପୂର୍ବରୁ ଅଭିଭାବକଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଆଣିବେ । ପୂର୍ବାହ୍ନ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ତେବେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କ୍ୟାମ୍ପସରେ ପହଞ୍ଚିବାକୁ କୁହାଯାଇଛି । ସେମାନେ ଅପରାହ୍‌ଣ ୪ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପସ୍‌ରେ ରହିବେ । କ୍ୟାମ୍ପସ୍‌ରେ ସାମାଜିକ ଦୂରତା ରକ୍ଷା କରାଯିବ । ଗୋଟିଏ କ୍ଲାସରୁମ୍‌ରେ ଅତି ବେଶିରେ ୨୫ଜଣ ପିଲା ରହିବେ । ତା’ଠାରୁ ଅଧିକ ପିଲାଙ୍କୁ ଅନୁମତି ନ ଦେବାକୁ ପ୍ରଧାନ ଶିକ୍ଷକମାନଙ୍କୁ କୁହାଯାଇଛି । ସେଥିପାଇଁ ପ୍ରତି ସ୍କୁଲ କ୍ୟାମ୍ପସରେ ଏକ ଫ୍ଲେକ୍ସ ଲଗାଯିବ । ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୬୦ଟି ସରକାରୀ ଉଚ୍ଚବିଦ୍ୟାଳୟ ଓ ଭୁବନେଶ୍ୱର ବ୍ଲକରେ ୨୨ଟି ବିଦ୍ୟାଳୟ ରହିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରତି ସ୍କୁଲରେ ଆଇସୋଲେସନ୍‌ ରୁମ୍‌ ଖୋଲା ଯାଇଛି । କ୍ୟାମ୍ପସ ତଦାରଖ ଲାଗି ବ୍ଲକ୍‌ସ୍ତରୀୟ ମନିଟରିଂ କମିଟି ଗଠନ ହୋଇଛି । ଯେଉଁଥିରେ ବିଇଓ, ଏବିଇଓ, ହାଇସ୍କୁଲ ପ୍ରଧାନଶିକ୍ଷକ, ପିଇଟି ପ୍ରମୁଖ ସମସ୍ୟ ରହିଛନ୍ତି । ଏହାବ୍ୟତୀତ କ୍ଲଷ୍ଟରସ୍ତରରେ ବି କମିଟି ଗଠନ ହୋଇଛି । ଭୁବନେଶ୍ୱର ଓ ବିଏମ୍‌ସିରେ ମୋଟ ୨୬ଟି କ୍ଲଷ୍ଟର ରହିଛି । କ୍ଲଷ୍ଟରସ୍ତରରେ ଗଠନ ହୋଇଥିବା କମିଟିରେ ସିଆରସିସି, ବରିଷ୍ଠ ଶିକ୍ଷକ, ପ୍ରଧାନ ଶିକ୍ଷକମାନେ ସାମିଲ ହୋଇଛନ୍ତି । ସେମାନେ ସ୍କୁଲ ବୁଲି ତଦାରଖ କରିବେ । ମାସ୍କ ପିନ୍ଧିବା ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ ହୋଇଛି ।

Show More
Back to top button