ନ୍ୟୁଜ୍ରାଜ୍ୟଶିକ୍ଷା

କଡ଼ାକଡ଼ି ହେବ ବିଦ୍ୟାଳୟ କଟକଣା

ସତ୍ୟଶିଖା(ଭୁବନେଶ୍ୱର) ୩୦ .୧୧.୨୦୨୧:  କରୋନାର ନୂତନ ଭୂତାଣୁ ଚିହ୍ନଟ ଯୋଗୁଁ ତୃତୀୟ ଲହର ହେବାର ଆଶଙ୍କା ଦେଖାଦେଇଛି। ବିଶ୍ବ ସଙ୍ଗଠନର ସତର୍କ ପରେ ଏଣିକି ବିଦ୍ୟାଳୟରେ କରୋନା କଟକଣା କଡ଼ାକଡ଼ି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଏଯାବତ୍‌ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ତୃତୀୟ ଲହର ଆସୁଥିବାରୁ ଡିସେମ୍ବରରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାର ଆଶା କ୍ଷୀଣ ହୋଇଛି। ନୂଆ ବର୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି। ତେବେ ଏନେଇ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନି।
ସାମାଜିକ ଗଣମାଧ୍ୟମରେ ବିଦ୍ୟାଳୟ ବନ୍ଦ ନେଇ ବିଭିନ୍ନ ଗୁଜବ ପ୍ରଚାରିତ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ପୂର୍ବଭଳି ଷଷ୍ଠରୁ ଦ୍ବାଦଶ ଶ୍ରେଣୀଗୃହ ଶିକ୍ଷାଦାନ ଚାଲିବ। ରାଜ୍ୟରେ ସବୁ ବିଦ୍ୟାଳୟ ଓ କନିଷ୍ଠ ମହାବିଦ୍ୟାଳୟରେ ଏଣିକି କରୋନା କଟକଣା କଡ଼ାକଡ଼ି ହେବ। ବିଭିନ୍ନ ଜିଲା ପାଇଁ ବିଭାଗ ପକ୍ଷରୁ ନିଯୁକ୍ତ ନୋଡାଲ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥିତି ପରଖିବେ। ସାମାଜିକ ଦୂରତା, ସ୍ବଚ୍ଛତା, ବିଶୋଧନ ଭଳି ଦିଗରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବେ। ଏନେଇ ସମସ୍ତ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଷଷ୍ଠରୁ ଦ୍ବାଦଶ ପାଠପଢା ପୂର୍ବ ଭଳି ଚାଲିବ। ସାମାଜିକ ଗଣମାଧ୍ୟମର ପ୍ରଚାରିତ ମିଥ୍ୟା ଖବର ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକ ବିଶ୍ବାସ କରିବାର କୌଣସି ଆବଶ୍ୟକ ନାହିଁ। ବିଦ୍ୟାଳୟରେ ଏଣିକି କରୋନା କଟକଣା କଡ଼ାକଡ଼ି ହେବ। ପ୍ରଥମରୁ ପଞ୍ଚମଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନି ବୋଲି ସେ କହିଛନ୍ତି।

Show More
Back to top button