

ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦ ନଭେମ୍ବର ସୁଦ୍ଧା ରାଜ୍ୟ ରପ୍ତାନିରେ ୫୫% ବୃଦ୍ଧି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ରାଜ୍ୟ ରପ୍ତାନି ପୁରସ୍କାର ସମାରୋହ-୨୦୨୧କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବିଶ୍ୱ ସ୍ତରରେ ମାନ୍ଦାବସ୍ଥା ଏବଂ ଆନ୍ତର୍ଜାତିକ ବଜାରରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଆମ ରାଜ୍ୟର ରପ୍ତାନିକାରୀମାନଙ୍କ ଦ୍ୱାରା ଏହା ହେଉଛି ଉଲ୍ଲେଖନୀୟ ସଫଳତା । ଏହି ଧାରା ଆଗାମୀ ଦିନରେ ଜାରି ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟରେ ଗଠନ କରାଯାଇଥିବା ଜିଲ୍ଲାସ୍ତରୀୟ ରପ୍ତାନି ପ୍ରସାର କମିଟି ଗଠନ ସ୍ଥାନୀୟ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଛି । ଖୁବ୍ କମ୍ ଦିନରେ ଆମେରିକା ଓ ୟୁରୋପର ଡିପାର୍ଟମେଣ୍ଟାଲ୍ ଷ୍ଟୋର୍ଗୁଡ଼ିକରେ କଳାହାଣ୍ଡି, କନ୍ଧମାଳ ଓ ମାଲକାନାଗିରିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ତିଆରି କରୁଥିବା ଉତ୍ପାଦ ଭର୍ତ୍ତି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାକୁ ଏକ ରପ୍ତାନି ହବ୍ରେ ପରିଣତ କରିବା ଲାଗି ସେ ରପ୍ତାନିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ଦେଶର ଏକ ପ୍ରମୁଖ ରପ୍ତାନିକାରୀ ରାଜ୍ୟରେ ପରିଣତ ହେବା ଲାଗି ଓଡ଼ିଶା ପାଖରେ ବହୁତ ଭଲ ସୁଯୋଗ ରହିଛି ।
ଆଜି ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ରାଜ୍ୟ ରପ୍ତାନି ପୁରସ୍କାର ଦିଆଯାଇଛି । ମୋଟ ୨୬ ରପ୍ତାନିକାରୀଙ୍କୁ ପୁରସ୍କୃତ କରାଯାଇଛି । ବୃହତ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା, ଟିସିଏସ୍-ଭୁବନେଶ୍ୱର, ନାଲ୍କୋ, ଫାଲ୍କନ୍ ମେରାଇନ୍ ଏକ୍ସପୋର୍ଟସ୍, ଇନ୍ଫୋସିସ୍-ଭୁବନେଶ୍ୱର, ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍, ଟିଆର୍ଏଲ୍ କ୍ରୋସାକି ରିଫ୍ରାକ୍ଟରିଜ୍, ଆଇଏଫ୍ଜିଏଲ୍ ରିଫ୍ରାକ୍ଟରିଜ୍, ଫେରୋ ଆଲଏଜ୍ କର୍ପୋରେସନ୍ ଲିମିଟେଡ୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍-ଲପଙ୍ଗା, ଏମ୍ଏମ୍ଟିସି, ଇମାମି ପେପର ମିଲ୍ସ ଓ ବାଲେଶ୍ୱର ଆଲଏଜ୍କୁ ପୁରସ୍କୃତ କରାଯାଇଛି । ବେଦାନ୍ତ ଝାରସୁଗୁଡ଼ାକୁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ଦିଆଯାଇଥିବା ବେଳେ କିଛି କଂପାନିକୁ ସାର୍ଟିଫିକେଟ୍ ଅଫ୍ ଏକ୍ସିଲେନ୍ସ ଓ ଅନ୍ୟମାନଙ୍କୁ ଟ୍ରଫି ସହିତ ସାର୍ଟିଫିକେଟ୍ ଅଫ୍ ମେରିଟ୍ ଦିଆଯାଇଛି ।
ମଧ୍ୟମ ବର୍ଗରେ ହରି ମେରାଇନ୍, ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର୍ ଓ ଶ୍ରୀରାଗମ ଏକ୍ସପୋର୍ଟସ୍କୁ ପୁରସ୍କୃତ କରାଯାଇଛି । ସେହିପରି, ଲଘୁ ଓ କ୍ଷୁଦ୍ର ବର୍ଗରେ ଟେରା ବ୍ଲକ୍ ମେସିନାରିଜ୍, ଜେ ପି ହାଣ୍ଡଲୁମ୍, ତ୍ରିମୂର୍ତ୍ତି ଆର୍ଟ ଆଣ୍ଡ୍ କ୍ରାଫ୍ଟସ୍, ଶିବାଲୟ ମଲ୍ଟିଫ୍ଲେକ୍ସ, ମାଗ୍ମା ଫୁଡ୍ସ, ଆର୍ ବି ଅଗ୍ରୱାଲା ଆଣ୍ଡ୍ କଂପାନି, ଓଡ଼ିଶା ସଲ୍ୟୁସନ୍ସ, ଆବିସିସ୍ ଇନଫର୍ମେସନ୍ ଟେକ୍ନୋଲୋଜି, ଜୟ ଭାରତ ସ୍ପାଇସେସ୍ ଓ ସାବତ ଏକ୍ସପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍କୁ ପୁରସ୍କୃତ କରାଯାଇଛି । ଆର୍ବି ଅଗ୍ରୱାଲ୍ ଆଣ୍ଡ୍ କଂପାନିକୁ ଦୁଇ ବର୍ଷ ପାଇଁ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ମିଳିଛି ।