
ସତ୍ୟଶିଖା ୨୧.୦୯.୨୦୨୦ : ଅଧିନାୟକ ଭାବେ ବିରାଟ କୋହଲି ଭାରତୀୟ କ୍ରିକେଟ୍ ପାଇଁ ଅନେକ ଅନନ୍ୟ ଓ ବିରଳ ସଫଳତା ଅର୍ଜନ କରିଛନ୍ତି । ହେଲେ ଗୋଟିଏ ବି ଆଇପିଏଲ୍ ଟ୍ରଫି ଜିତିବାର ସୌଭାଗ୍ୟ ତାଙ୍କ ଭାଗ୍ୟରେ ଆଜି ପର୍ଯ୍ୟନ୍ତ ଜୁଟିନାହିଁ । ୨୦୧୧ ମସିହାଠାରୁ ରୟାଲ ଚାଲେଞ୍ଜର୍ସ ଦଳର ନେତୃତ୍ୱ ନେଇ ଅସୁଥିବା କୋହଲି ଏପର୍ଯ୍ୟନ୍ତ ନିଜକୁ ଆଇପିଏଲ୍ ଟ୍ରଫି ଜିତିଥିବା ଅଧିନାୟକଙ୍କ ମଧ୍ୟରେ ନିଜକୁ ସାମିଲ କରି ପାରିନାହାନ୍ତି । ୟୁଏଇରେ ସଂପ୍ରତି ଖେଳାଯାଉଥିବା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣରେ ତାଙ୍କର ଏହି ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି । କୋହଲିଙ୍କ ଏହି ବହୁ ପ୍ରତୀକ୍ଷିତ ‘ପ୍ରଥମ ଆଇପିଏଲ୍ ଟ୍ରଫି’ ବିଜୟ ଅଭିଯାନ ଆଜିଠାରୁ ଆରମ୍ଭ ହେବ । ତାଙ୍କ ନେତୃତ୍ୱlଧୀନ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳ ଆଜି ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଚଳିତ ସଂସ୍କରଣରେ ଉଭୟ ଦଳର ଏହା ପ୍ରଥମ ମ୍ୟାଚ୍ ହେବ । କୋହଲିଙ୍କ ପାଖରେ ତାରକା ଖେଳାଳିଙ୍କ ଅଭାବ ନଥିଲେ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ସନଇାଇଜର୍ସ ହାଇଦ୍ରାବାଦ ବି କୌଣସି ଗୁଣରେ କମ୍ ନୁହେଁ ।
ଅଧିନାୟକ ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନରଙ୍କ ନେତୃତ୍ବରେ ଏହି ଦଳ ଆଇପିଏଲ୍ ଟ୍ରଫି ଜିତି ସାରିଛି । ଚଳିତ ବର୍ଷ ନୂଆ ସ୍ଥାନ, ନୂତନ ପରିବେଶ ତଥା କୋଭିଡ୍-୧୯ କଟକଣାରେ ରାଇଜର୍ସ ପୁଣି ଥରେ ତା’ର ମୁକୁଟ ବିଜୟ ଅଭିଯାନ ବିଜୟରୁ ହିଁ ଆରମ୍ଭ କରିବାକୁ ନିଶ୍ଚିତ ଚାହିବ । ବ୍ୟକ୍ତିଗତ ଭାବେ ୱାର୍ନର ତିନି ଥର ସର୍ବାଧିକ ରନ୍ ସଂଗ୍ରହକାରୀ ଭାବେ ନାରଙ୍ଗୀ ଟୋପି ଜିତି ସାରିଛନ୍ତି । ଆଇପିଏଲରେ କୋହଲିଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର। ହେଲେ ଗତଥର ତାଙ୍କ ଦଳ ୧୪ରୁ ମାତ୍ର ୫ ମ୍ୟାଚ୍ ଜିତି ଶେଷ ସ୍ଥାନରେ ରହିଥିଲା । ଏଥିପାଇଁ ହୁଏତ ଆରସିବି ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଅତିରିକ୍ତ ଚାପରେ ରହିବ । ଅଷ୍ଟ୍ରେଲିଆର ସୀମିତ ଓଭର ଅଧିନାୟକ ଆରୋନ୍ ଫିଞ୍ଚଙ୍କ ଯୋଗଦାନ ପରେ ଆରସିବି ବ୍ୟାଟିଂ ବାହିନୀ ଅବଶ୍ୟ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି । ଅବଶ୍ୟ ବୋଲିଂ ପୁଣି ଥରେ ଏହି ଦଳ ପାଇଁ ଚିନ୍ତାର କାରଣ ହୋଇପାରେ ।
ୱାର୍ନର, ଜନି ବେୟାରଷ୍ଟୋ, କେନ୍ ୱିଲିୟମସନ୍, ମନୀଷ ପାଣ୍ଡେଙ୍କ ସହ ସନରାଇଜର୍ସ ହାଇଦ୍ରାବାଦ ଏଥର ବିରାଟ ସିଂହ, ଅଭିଷେକ ବର୍ମା, ପ୍ରିୟମ ଗର୍ଗ ଓ ଅବଦୁଲ ସମଦଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ ଓ ବାସିଲ ଥମ୍ପିଙ୍କ ରୂପରେ ସନରାଇଜର୍ସର ବୋଲିଂ ବାହିନୀ ଏକପ୍ରକାର ଅପରିବର୍ତ୍ତିତ ରହିଛି । ଆଫଗାନିସ୍ତାନର ଶୀର୍ଷ ସ୍ତରୀୟ ଟ୍ବେଣ୍ଟି-୨୦ ସ୍ପିନର ରସିଦ ଖାନ୍ ଓ ଶ୍ରେଷ୍ଠ ଟ୍ବେଣ୍ଟି-୨୦ ଅଲରାଉଣ୍ଡର ମହମ୍ମଦ ନବି ମଧ୍ୟ ଆରସିବିକୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖନ୍ତି । ନବି ନିକଟରେ ଶେଷ ହୋଇଥିବା କାରବୀୟ ପ୍ରିମିୟର ଲିଗରେ ଚମତ୍କାର ପ୍ରଦର୍ଶନ କରି ୟୁଏଇ ଆସିଛନ୍ତି । ସନରାଇଜର୍ସ ପାଖରେ ଶାହାବାଜ ନଦୀମଙ୍କ ରୂପରେ ଜଣେ ଭଲ ବାମହାତୀ ସ୍ପିନର ମଧ୍ୟ ଅଛନ୍ତି ।

ଆରସିବି ପାଖରେ ମଧ୍ୟ ୟୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ପବନ ନେଗି, ଆଦାମ ଜାମ୍ପା ଓ ମୋଇନ ଅଲ୍ଲୀଙ୍କ ଭଳି ସ୍ପିନର ଓ ଅଲରାଉଣ୍ଡର ଅଛନ୍ତି । ଶେଷ ଓଭର ବୋଲିଂ କରିବାରେ ଥିବା ଦୁର୍ବଳତା ଦୂର କରିବା ଲାଗି ଆରସିବି ମଧ୍ୟ ଏଥର ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କ୍ରିସ୍ ମୋରିସ୍ଙ୍କୁ ନିଜ ଦଳରେ ସାମିଲ କରିଛି । ବ୍ୟାଟିଂରେ ଆରସିବି ପାଖରେ କୋହଲିଙ୍କ ସହ ଏବି ଡି’ଭିଲିୟର୍ସ, ପାର୍ଥିବ ପଟେଲ, ଶିଭମ ଦୁବେ ଓ ଫିଞ୍ଚଙ୍କ ଭଳି ଖେଳାଳି ଅଛନ୍ତି । ସନରାଇଜର୍ସ ଇଂଲଣ୍ଡର ବିଶ୍ୱକପ୍ ବିଜୟୀ ପ୍ରଶିକ୍ଷକ ଟ୍ରେଭର୍ ବେଲିସଙ୍କୁ ନିଜର ପ୍ରଶିକ୍ଷକ ନିଯୁକ୍ତ କରିଛି । ଆରସିବି ସାଇମନ କାଟିଚଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିଛି ।






