ଏହାକୁ ନେଇ ଇସ୍ରାଏଲ ଆପତ୍ତି ଉଠାଇଥିଲା। ଶେଷରେ ପୁଟିନ ଏହି ହିଟଲର ବୟାନ ପାଇଁ କ୍ଷମା ମାଗିଥିବା ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି।
ବେନ୍ନେଟ୍ଟଙ୍କ ଅଫିସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଲାଭରୋଭଙ୍କ ମନ୍ତବ୍ୟ ପାଇଁ ରୁଷ ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ଏଥିସହ ଇହୁଦୀ ଲୋକଙ୍କ ପ୍ରତି ଥିବା ଆଭିମୁଖ୍ୟକୁ ରାଷ୍ଟ୍ରପତି ସ୍ପଷ୍ଟ କରିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।”ତେବେ କ୍ରେମଲିନ ପକ୍ଷରୁ ପୁଟିନଙ୍କ କ୍ଷମା ପ୍ରାର୍ଥନା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ। ଇହୁଦୀ ଦେଶ ଗଠନ ହେବାର ୭୪ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁଟିନ ଫୋନ ଯୋଗେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା କ୍ରେମଲିନ ପକ୍ଷରୁ କୁହାଯାଇଛି। ହେଲେ ଏହି ସମୟରେ ରାଷ୍ଟ୍ରପତି କ୍ଷମା ମାଗିଥିବା କଥା ବିଷୟରେ କିଛି ବି କୁହାଯାଇନି।
ସୂଚନାଯୋଗ୍ୟ, ରବିବାର ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲାଭରୋଭ ଦାବି କରିଥିଲେ ଯେ “ମୁଁ ଭୁଲ ହୋଇପାରେ। କିନ୍ତୁ ହିଟଲର ଦେହରେ ବି ଇହୁଦୀ ରକ୍ତ ପ୍ରବାହିତ ହେଉଥିଲା।” ଏହାକୁ ନେଇ ପୂରା ଇସ୍ରାଏଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦେଶର ବୈଦେଶିକ ମନ୍ତ୍ରୀ ୟାଇର ଲାପିଡ ଏପରି ବୟାନକୁ ଅକ୍ଷମଣୀୟ ଅପରାଧ ବୋଲି ମଧ୍ୟ କହିଥିଲେ।
ବିଭିନ୍ନ ସଂଗଠନ ପକ୍ଷରୁ ରୁଷକୁ ତୀବ୍ର ବିରୋଧ କରାଯାଇଥିଲା। ପ୍ରକୃତରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେନସ୍କି ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରୁଷ ରାଷ୍ଟ୍ରପତିଙ୍କୁ ନାଜି ଶାସକ ବୋଲି କହି ଆସୁଛନ୍ତି। ଏହାକୁ କାଉଣ୍ଟର କରିବା ପାଇଁ ଲାଭରୋଭ ଇହୁଦୀଙ୍କ କଥା ଉଠାଇଥିଲେ। କାରଣ ଜେଲେନସ୍କି ଜଣେ ଇହୁଦୀ। ତେଣୁ ତାଙ୍କୁ ସମାଲୋଚନା କରିବା ପାଇଁ ସେ ହିଟଲରକୁ ଇହୁଦୀ ସହ ଯୋଡ଼ିଥିଲେ।