ସତ୍ୟଶିଖା( ନୂଆଦିଲ୍ଲୀ )୦୨.୦୩.୨୦୨୨ :ତୀବ୍ର ହେଉଛି ଋଷ ୟୁକ୍ରେନ ଯୁଦ୍ଧ । ଏହା ଭିତରେ ନିଜର ବଳ ଦେଖାଇବାକୁ କୌଣସି ସୁଯୋଗ ଛାଡୁନାହିଁ ଋଷ । ପରମାଣୁ ବୋମା ପକାଇବାକୁ ଧମକ ଦେଉଥିବାବେଳେ ମଙ୍ଗଳବାର ବ୍ୟାରେଣ୍ଟ ସମୁଦ୍ରରେ ପରମାଣୁ ସବମ୍ୟାରିନକୁ ନେଇ ଯୁଦ୍ଧ ଅଭ୍ୟାସ କରିଛି ଋଷ । ଏହି ସବମ୍ୟାରିନ ଇଣ୍ଟରକଣ୍ଟିନେଣ୍ଟାଲ ବ୍ୟାଲାଷ୍ଟିକ୍ ମିସାଇଲ, ସ୍ଥଳଭାଗକୁ ଆଟାକ୍ କରୁଥିବା ଆଇସିବିଏମ୍ ଓ ପରମାଣୁ ସକ୍ଷମ ରଣନୈତିକ ଷ୍ଟାଟେଜିକ୍ ବୋମାରେ ସଜ୍ଜିତ । ଅନ୍ୟପଟେ ସାଇବେରିଆର ବରଫାଛନ୍ନ ଜଙ୍ଗଲକୁ ନିଜ ମୋବାଇଲ ମିସାଇଲ ଲଞ୍ଚରକୁ ପଠାଇଛି ଋଷ ।
ସୂଚନା ମୁତାବକ, ଋଷ ପାଖରେ ଏପରି ଅନେକ ସବମ୍ୟାରିନ୍ ରହିଛି ଯାହା ସମୁଦ୍ର ପଥରେ ଝଡ ତୋଫାନ ଭିତରେ ବି ଯୁଦ୍ଧାଭ୍ୟାସ କରିବାର କ୍ଷମତା ରଖିଛି । ଉତ୍ତରପଶ୍ଚିମ ଋଷର ଉପକୂଳବର୍ତ୍ତୀ ଇଲାକାର ସୁରକ୍ଷା ପାଇଁ ଏଠାରେ ଅନେକ ଯୁଦ୍ଧପୋତ ସଜାଗ ରହିଛନ୍ତି । କୋଲା ପ୍ରାନ୍ତରେ ମଧ୍ୟ ଅନେକ ନୌସେନାର ବେସ୍ ରହିଛି । ଋଷ ରକ୍ଷା ମନ୍ତ୍ରଣାଳୟର ସୂଚନା ମୁତାବକ, ପୂର୍ବ ସାଇବେରିଆର ଇରକୁତସ୍କ କ୍ଷେତ୍ରରେ ଷ୍ଟ୍ରାଟେଜିକ୍ ମିସାଇଲ ଫୋର୍ସର ସ୍ୱତନ୍ତ୍ର ୟୁନିଟ ଆଲର୍ଟ ରହିଛି ।
ଯୁଦ୍ଧକୁ ହେଲାଣି ୬ ଦିନ । ୟୁକ୍ରେନର କଡା ଜବାବ ସତ୍ତେ୍ୱ ପଛକୁ ହଟୁନି ଋଷ ସେନା । ବରଂ ଘନ ଘନ ମିସାଇଲ ଓ ରକେଟ୍ ମାଡ କରି ଚାଲିଛି । ରାଜଧାନୀ କିବ ପରେ ଖାରକିବକୁ ଧ୍ୱସ୍ତବିଧ୍ୱଂସ୍ତ କରିପକାଇଛି ଋଷ । ନିଜର ସବୁ ଲକ୍ଷ୍ୟ ହାସଲ ନହେବା ଯାଏଁ ଯୁଦ୍ଧ ଜାରି ରହିବ ବୋଲି ଋଷ ସଫା ସଫା କହିଛି । ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗ୍ୟୁ କହିଛନ୍ତି ଯେ, ଋଷ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ । କୌଣସି ମତେ ପଛକୁ ହଟିବାର ପ୍ରଶ୍ନ ଉଠୁନି । ସବୁ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ଜାରି ରହିଛି । ୟୁକ୍ରେନକୁ ‘ବେନାଜିକରଣ’ କରିବାକୁ ହେବ । ଅନ୍ୟଥା ଏହା ସବୁବେଳେ ଋଷ ପ୍ରତି ବିପଦ ସୃଷ୍ଟି କରିବ । ତେଣୁ ସାମରିକ ଦୃଷ୍ଟିରୁ ଏହାକୁ ଦୁର୍ବଳ କରିବା ଜରୁରୀ ହୋଇପଡିଛି । ଏହାକୁ ମୋହରା ବନାଇ ପାଶ୍ଚାତ୍ୟ ଦେଶଗୁଡିକ ଋଷ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଚାଲିବେ ।
ସୂଚନା ମୁତାବକ, ଏହା ପୂର୍ବରୁ ଋଷ ରାଷ୍ଟ୍ରପତି ପୁଟିନ୍ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ ପାଇଁ ସଙ୍କେତ ଦେଇସାରିଛନ୍ତି । ପରମାଣୁ ଅସ୍ତ୍ର ପ୍ରସ୍ତୁତ କରି ରଖିବା ପାଇଁ ସେ ନିଜ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେବା ପରେ ଏବେ ସମୁଦ୍ର ପଥରେ ପରମାଣୁ ସବମ୍ୟାରିନର ସମାରାଭ୍ୟାସ ପରମାଣୁ ଆକ୍ରମଣ ସମ୍ଭାବନାକୁ ଆହୁରି ମଜବୁତ କରିଛି ।