ଦେଶନ୍ୟୁଜ୍ବିଦେଶ

ବିଶ୍ୱର ପ୍ରଥମ ଟିକା ଆଣିବା ପାଇଁ ରୁଷିଆ ପ୍ରସ୍ତୁତ । ଆସନ୍ତା ୧୨ ତାରିଖରେ ବିଧିବଦ୍ଧ ଭାବେ ପଞ୍ଜୀକୃତ ହେବା ନେଇ ସୂଚନା l

ସତ୍ୟଶିଖା ୧୦ .୦୮.୨୦୨୦ : ପ୍ରଥମ କରୋନା ଟିକା କିଏ ଆଣିବ ଏ ନେଇ ସାରା ବିଶ୍ୱରେ ପ୍ରତିଯୋଗତା ଚାଲିଥିବା ବେଳେ ରୁଷ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗଷ୍ଟ ୧୨ ତାରିଖରେ ବିଶ୍ୱର ପ୍ରଥମ କରୋନା ଟିକାର ହେବ ରେଜିଷ୍ଟ୍ରେସନ୍ । ଏନେଇ ଘୋଷଣା କରିଛନ୍ତି ରୁଷିଆର ଉପସ୍ୱାସ୍ଥ୍ୟମନ୍ତ୍ରୀ ଓଲେଗ ଗ୍ରିଦନେଭ । ତାଙ୍କ ସୂଚନା ଅନୁସାରେ ରୁଷିଆର ଗମାଲେଇ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ବିଭାଗ ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କରୋନା ଟିକା ଆଗାମୀ ୧୨ ତାରିଖରେ ପଞ୍ଜିକରଣ ହେବ । ଏହି ଘୋଷଣା ପରେ ସାରା ବିଶ୍ୱର ନଜର ଏବେ ରୁଷିଆ ଉପରେ ଅଟକି ରହିଛି । କାରଣ ରୁଷିଆ ଦାବି କରୁଛି ୧୨ ଅଗଷ୍ଟ ସୁଦ୍ଧା ଏହା ପଞ୍ଜିକରଣ ହେବ ଓ ଖୁବଶୀଘ୍ର ଟିକା ବଜାରକୁ ନେଇଆସିବ ।

ତେବେ ମସ୍କୋର ସେଚେନୋଭ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଏହି ଟିକାର ନାଁ ରହିଛି – କ୍ୟାମ କୋଭିଡ୍ ଭ୍ୟାକ୍ । ଏହାର ସଫଳ ପରୀକ୍ଷଣ ହୋଇସାରିଥିବା ରୁଷିଆ ଦାବି କରିଛି । ରୁଷ ସରକାର କହୁଛନ୍ତି ଦେଶରେ ପ୍ରଥମେ ବୟସ୍କ ବ୍ୟକ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ହେଲା କି ଆସନ୍ତା ବର୍ଷ ଆରମ୍ଭ ଯାଏଁ କୌଣସି ସୁରକ୍ଷିତ କରୋନା ଟିକା ବଜାରକୁ ଆସିପାରିବ ନାହିଁ । ତେଣୁ ରୁଷିଆର ଦାବି ପରେ ଚେତାଇ ଦେଇଛି ଡବ୍ଲୁଏଚଓ । ଉଭୟ ଟିକା ପ୍ରସ୍ତୁତି ଓ ବ୍ୟବହାର ପାଇଁ ନିର୍ଦ୍ଧାରିତ ନୀତିନିୟମକୁ ପାଳନ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ରୁଷିଆକୁ ସତର୍କ କରିଦେଇଛି ।

Show More
Back to top button