ଆମେରିକାର ଧମକରେ କ୍ରୋଧିତ ରୁଷ।

ସତ୍ୟଶିଖା ୦୫/୦୮/୨୦୨୫: ରୁଷ ପରମାଣୁ ଅସ୍ତ୍ର ବିଷୟରେ କହିବା ସମୟରେ  ଅତି ସତର୍କତାର ସହ’ କହିବାକୁ ଡୋନାଲ୍ଡ ଟ୍ରମ୍ପଙ୍କୁ କହିଛି କ୍ରେମଲିନ୍‌। ରୁଷ INFରୁ ବାହାରିଯିବାର ନିଷ୍ପତ୍ତି ପଛରେ ‘ପାଶ୍ଚାତ୍ୟ ଦେଶଗୁଡ଼ିକର କାର୍ଯ୍ୟ’କୁ କାରଣ ଭାବରେ ଦର୍ଶାଇଛି। ରୁଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୁକ୍ତି ବଜାୟ ରଖିବା ପାଇଁ ସର୍ତ୍ତାବଳୀ “ଅଦୃଶ୍ୟ” ହୋଇଯାଇଛି ଏବଂ ଦେଶ ଆଉ ଏହାର ପୂର୍ବ ସ୍ୱ-ପ୍ରବର୍ତ୍ତିତ ପ୍ରତିବନ୍ଧକଗୁଡ଼ିକୁ ପାଳନ କରୁନାହିଁ।

ରୁଷର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଫିଲିପାଇନ୍ସରେ ଟାଇଫନ୍ ମିସାଇଲ୍ ଲଞ୍ଚର୍ ମୁତୟନ ଏବଂ ଅଷ୍ଟ୍ରେଲିଆରେ ତାଲିସମାନ ସାବର ଅଭ୍ୟାସ ସମୟରେ ମିସାଇଲ୍ ଫାୟାରିଂ ସମେତ ଆମେରିକାର କାର୍ଯ୍ୟକଳାପ ଏହାର ନିଷ୍ପତ୍ତି ପଛରେ ମୁଖ୍ୟ କାରଣ। ପ୍ରକାଶଥାଉକି INF ଚୁକ୍ତିର ଉଦ୍ଦେଶ୍ୟ ଥିଲା ୫୦୦ ରୁ ୫୫୦୦ କିଲୋମିଟର ପର୍ଯ୍ୟନ୍ତ ଭୂମିରୁ ନିକ୍ଷେପ କରାଯାଉଥିବା ପରମାଣୁ ଏବଂ ପାରମ୍ପରିକ କ୍ଷେପଣାସ୍ତ୍ରକୁ ନିଷିଦ୍ଧ କରିବା। ଏହି ଚୁକ୍ତି ୧୯୮୭ ମସିହାରେ ଆମେରିକା ଏବଂ ରୁଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ୨୦୧୯ ମସିହାରେ ଆମେରିକା ଏହି ଚୁକ୍ତିରୁ ଓହରି ଯାଇଥିଲା।

INF ଚୁକ୍ତି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ରୋନାଲ୍ଡ ରେଗାନ ଏବଂ ରୁଷ ରାଷ୍ଟ୍ରପତି ମିଖାଏଲ୍ ଗୋର୍ବାଚେଭଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଯାହାର ଉଦ୍ଦେଶ୍ୟ ଥିଲା ଯେକୌଣସି ପ୍ରକାରର ପରମାଣୁ ସଂଘର୍ଷକୁ ଏଡାଇବା। ଡୋନାଲ୍ଡ ଟ୍ରମ୍ପ୍ ଏହି ଚୁକ୍ତିରୁ ଆମେରିକାକୁ ବାହାର କରିଦେବା ସମୟରେ ଯୁକ୍ତି ଦେଇଥିଲେ ଯେ ରୁଷ ଚୁକ୍ତି ଉଲ୍ଲଂଘନ କରୁଛି। କିନ୍ତୁ ରୁଷ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲା ଏବଂ ପ୍ରତିଶୋଧରେ ଆମେରିକାକୁ ଚୁକ୍ତିର ବ୍ୟବସ୍ଥା ଭଙ୍ଗ କରିବାର ଅଭିଯୋଗ କରିଥିଲା। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି ଯେ ଚୁକ୍ତି ଭଙ୍ଗ “ବିଶ୍ୱ ସୁରକ୍ଷା ଗଠନକୁ ବିପୁଳ କ୍ଷତି” ପହଞ୍ଚାଇବ। ୱାଶିଂଟନ ଏବଂ ମସ୍କୋ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଏହି ଘୋଷଣା କରାଯାଇଛି।

Exit mobile version