ରାଜ୍ୟ

ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା

ସତ୍ୟଶିଖା(ଭୁବନେଶ୍ୱର) ୧୭.୦୭.୨୦୨୧: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ (Interest Subvention) ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’ କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Show More
Back to top button