ସତ୍ୟଶିଖା(ନୂଆଦିଲ୍ଲୀ) ୦୯/୧୨/୨୦୨୦ : ଡ୍ରଗ୍ସ ଜବତ୍ ମାମଲାରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । ଦିଲ୍ଲୀ ରେଲୱେ ପୋଲିସ ନିଶା କାରବାରର ଏକ ବଡ ବେପାରୀକୁ ଗିରଫ୍ କରିଛି । ପୋଲିସ ଏହି ମାମଲାରେ ଜଣେ ନାଇଜେରିଆ ନାଗରିକ ଓ ତାଙ୍କ ମହିଳାବନ୍ଧୁଙ୍କୁ ହେପାଜତକୁ ନେଇଛି । ସୂଚନା ମୁତାବକ ୧୦୫ କିଲୋଗ୍ରାମ ଡ୍ରଗ୍ସ ଜବତ୍ କରିଛି ପୋଲିସ । ଆନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଗିରଫ୍ ହୋଇଥିବା ନାଇଜେରିଆ ନାଗରିକ ଜଣଙ୍କ ହେଉଛନ୍ତି ଚୀମା ବିଟାଲିସ୍ ଓ ତାଙ୍କ ମହିଳା ବନ୍ଧୁଙ୍କ ନାମ ଶ୍ରୀମତୀ ବୋଲି ଜଣାପଡିଛି ।
ଏବେ ଦିଲ୍ଲୀରେ ଡ୍ରଗ୍ସ କାରବାର ବଢି ଚାଲିଛି । ନଭେମ୍ବର ୨୨ ତାରିଖରେ ଦିଲ୍ଲୀ, ଉତ୍ତରପ୍ରଦେଶ ରେ ହେରୋଇନ୍, କୋକିନ ଭଳି ମାରାତ୍ମକ ନିଶା କରାବାର କରୁଥିବା ଏକ ଆନ୍ତରାଷ୍ଟ୍ରୀୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ । ଯେଉଁଥିରେ ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ଏହି କାରବାରରେ କିଙ୍ଗପିନ୍ ସମେତ ୮ ଜଣଙ୍କୁ ଗିରଫ୍ କରିଥିଲା । ଏହା ସହ ସେମାନଙ୍କ ଠାରୁ ୮ କିଲୋଗ୍ରାମ ହେରୋଇନ୍,୪୫୫ ଗ୍ରାମ କୋକିନ୍ ଓ ୧.୧ କିଲୋଗ୍ରାମ ମାରିଜୁଏନ ଜବତ୍ କରିଥିଲା ।
କହିରଖୁ କି ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଯାଇ ଏନସିବି ଏବେ ପୁରା ଦେଶରେ ତାର ଜାଲ ବିଛାଇଛି । କେତେବେଳେ ସିନେମା କଳାକାର ତ କେତେବେଳେ ଅଭ୍ୟାସଗତ ନିଶା ବେପାରୀ ଏନସିବି ଜାଲରେ ପଡୁଛନ୍ତି ।