ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଏଲ୍‌ପିଜି ସିଲିଣ୍ଡର ଦରବୃଦ୍ଧି

ସତ୍ୟଶିଖା (ଭୁବନେଶ୍ୱର) ୧୬/୦୨/୧୦୨୧ : ଚଳିତମାସରେ ଏଲପିଜି ସିଲିଣ୍ଡର ଦାମ୍‌ ଦୁଇ ଥର ବଢ଼ିଲାଣି । ୪ ତାରିଖରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର୍‌ ମୂଲ୍ୟ ୨୫ ଟଙ୍କା ବଢ଼ିଥିବାବେଳେ ଗତକାଲି ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଭୁବନେଶ୍ୱରରେ ଏହାର ଦାମ୍ ୭୯୫ ଟଙ୍କା ୫୦ ପଇସା ହୋଇଯାଇଛି । ଅର୍ଥାତ ଗୋଟିଏ ସିଲିଣ୍ଡର କିଣିବାକୁ ହେଲେ ଅତିକମ୍‌ରେ ‌ଗ୍ରାହକଙ୍କୁ ୮୦୦ ଟଙ୍କା ଯୋଗାଡ଼ କରିବାକୁ ପଡ଼ିବ । ସ୍ଵଚ୍ଛଳ ବର୍ଗ ଲାଗି ଏହା ଯଦିଓ ଏତେ ବଡ଼ ସମସ୍ୟା ନୁହେଁ କିନ୍ତୁ ଓଡ଼ିଶା ଭଳି ଏକ ରାଜ୍ୟ ଯେଉଁ ଠାରେ ୪୭,୩୯,୧୪୩ଟି ଗରିବ ପରିବାର ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏଲ୍‌ପିଜି ସଂଯୋଗ ପାଇଛନ୍ତି ସେମାନେ ଏହାକୁ କିଣିବା ବେଳେ ଆର୍ଥିକ ସମସ୍ୟାର ସାମ୍ନା କରିବେ । ଏହି ଯୋଜନାରେ ସରକାର ଯଦିଓ ବିନା ମୂଲ୍ୟରେ ନୂଆ ସଂଯୋଗ ପ୍ରଦାନ କରୁଛନ୍ତି, କିନ୍ତୁ ହିତାଧିକାରୀଙ୍କୁ ବଜାର ଦରରେ ଗ୍ୟାସ୍‌ କିଣିବାକୁ ପଡ଼ୁଛି । ଅତୀତରେ ଗ୍ୟାସ୍‌ର ଚଢ଼ା ଦର ଯୋଗୁଁ ହିତାଧିକାରୀମାନେ ପ୍ରଥମ ସିଲିଣ୍ଡର ନେବା ପରେ ଆଉ ପରବର୍ତୀ ସିଲିଣ୍ଡରଗୁଡ଼ିକ ନେଇନଥିଲେ । ଏବେ ପୁଣି ସେଭଳି ସ୍ଥିତି ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି । କେବଳ ଉଜ୍ଜ୍ବଳା ହିତାଧିକାରୀ ନୁହେଁ ସମାଜର ଦୁର୍ବଳ ଶ୍ରେଣୀର ଓ କମ୍ ଉପାର୍ଜନ କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ଏଲ୍‌ପିଜି ସିଲିଣ୍ଡର ଅପହଞ୍ଚ ସ୍ତରକୁ ଚାଲିଯାଇଥିବା ଭଳି ମନେ ହେଉଛି । ଉଜ୍ଜ୍ବଳା ଯୋଜନାରେ ନୂଆ ସଂଯୋଗ ଦେବା ବେଳେ ହିତାଧିକାରୀ ଗୋଟିଏ ଏଲ୍‌ପିଜି ସିଲିଣ୍ଡର, ଗ୍ୟାସ୍‌ ଷ୍ଟୋଭ୍‌, ରବର୍‌ ପାଇପ୍ ଏବଂ ରେଗୁଲେଟର ପାଇଥାନ୍ତି ।ପ୍ରଥମ ସିଲିଣ୍ଡରକୁ ବ୍ୟବହାର କରିବା ପରେ ଚଢ଼ା ଦର ଯୋଗୁଁ ଆଉ ରିଫିଲ୍‌ କରିବା ଲାଗି ହିତାଧିକାରୀମାନେ ଧ୍ୟାନ ଦେଉନଥିବା ଅନେକ ସମୟରେ କୁହାଯାଉଛି । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (ଡିବିଟି)ରେ ମିଳୁଥିବା ସବ୍‌ସିଡି ମଧ୍ୟ ଏତେ ନିମ୍ନ ସ୍ତରକୁ ହ୍ରାସ ପାଇଛି ଯେ ତାହା ମିଳିବା କିମ୍ବା ନମିଳିବା ଆଉ ସେତେଟା ଗୁରୁତ୍ୱ ରଖୁନି । ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍‌ କଂପାନିର ଜଣେ ଅଧିକାରୀ କହିଛନ୍ତି ଯେ ଏଲ୍‌ପିଜି ସିଲିଣ୍ଡର ଦାମ୍ ସମସ୍ତଙ୍କ ପାଇଁ ସମାନ । ଉଜ୍ଜ୍ବଳା ହିତାଧିକାରୀ ହୁଅନ୍ତୁ ଅଥବା ସାଧାରଣ ଗ୍ରାହକ ସମସ୍ତଙ୍କୁ ବଜାର‌ ଦରରେ ସିଲିଣ୍ଡର କିଣିବାକୁ ପଡ଼ିବ । ଏହା ପରେ ସେମାନଙ୍କ ଖାତାକୁ ସବ୍‌ସିଡି ବାବଦ ଟଙ୍କା ଯିବ । ଏବେ କେତେ ଟଙ୍କା ସବ୍‌ସିଡି ଆକାରରେ ବ୍ୟାଙ୍କ ଖାତାରେ ଜମା ହେଉଛି ତାହା ସେ ନିର୍ଦିଷ୍ଟ ଭାବେ କହିପାରିନଥିଲେ । କିନ୍ତୁ ଦୁଇ ମାସ ପୂର୍ବରୁ ସବ୍‌ସିଡି ପରିମାଣ ୧୩ ଟଙ୍କା ପାଖାପାଖି ଥିଲା । ସରକାରୀ ତଥ୍ୟ କହୁଛି ୨୦୨୧ ଜାନୁଆରି ୧ ସୁଦ୍ଧା ଓଡ଼ିଶାର ୮୮ ଲକ୍ଷ ୩୦ ହଜାର ପରିବାରରେ ଏଲ୍‌ପିଜି ସଂଯୋଗ ରହିଛି । ଅର୍ଥାତ ରାଜ୍ୟର ୮୦.୩% ପରିବାର ପାଖରେ ଗ୍ୟାସ୍‌ ସଂଯୋଗ ପହଞ୍ଚିଛି । ୨୦୨୦ର ଏପ୍ରିଲ୍‌ରୁ ଡିସେମ୍ବର ଭିତରେ ରାଜ୍ୟରେ ୧ ଲକ୍ଷ ୭୦ ହଜାର ନୂଆ ଗ୍ୟାସ୍‌ ସଂଯୋଗ ପ୍ରଦାନ କରାଯାଇଛି । ଓଡ଼ିଶାରେ ୯୫୧ ଏଲ୍‌ପିଜି ବିତରକ ରହିଛନ୍ତି । ଏବେବି ଚାରି ହଜାରରୁ ଅଧିକ ଲୋକ ଏଲ୍‌ପିଜି ସଂଯୋଗ ପାଇଁ ଆବେଦନ କରି ପ୍ରତିକ୍ଷା ତାଲିକା (ୱେଟିଂ ଲିଷ୍ଟ୍‌)ରେ ଅଛନ୍ତି ବୋଲି ଜଣାପଡ଼ିଛି । ତେବେ ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ସେତେ ବଢ଼ି ନାହିଁଁ । ଇତିମଧ୍ୟରେ ଏଲପିଜି ଉପରେ ସରକାର ମଧ୍ୟ ଟିକସ ବଢ଼ାଇ ନାହାନ୍ତି । ଏହାସତ୍ତ୍ବେ ଏଲପିଜି ଦର ବଢ଼ିବାର କାରଣ ସାଧାରଣ ଲୋକ ବୁଝିପାରୁ ନାହାନ୍ତି । ଏ ନେଇ ଅନେକ ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି ।

Show More
Back to top button