
ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୧/୨୦୨୦ : ଆଳୁ ପିଆଜ ଦାମ ବଢିବା ପରେ ଏବେ ତେଲ ଦର ବଢିବା ରୋଷେଇ ଘରର ବଜେଟ୍କୁ ଆହୁରି ବିଗାଡି ଦେଇଛି । ଖାଦ୍ୟରେ ବ୍ୟବହୃତ ସମସ୍ତ ଖାଇବା ତେଲ ଯଥା ବାଦାମ ତେଲ, ସୋରିଷ, ବନସ୍ପତି, ସୋୟାବିନ, ସୂର୍ଯ୍ୟମୂଖୀ ଆଦି ତେଲର ଦାମ ପୁଣି ଥରେ ବଢି ଯାଇଛି । ପାମ୍, ସୋୟାବିନ ଓ ସୂର୍ଯ୍ୟମୂଖୀ ତେଲ ଦାମ ୨୦ରୁ ୩୦ ଟଙ୍କା ବୃଦ୍ଧି ଘଟିଛି । ଖାଇବା ତେଲର ଦାମ ବଢିବା ଖାଉଟିଙ୍କଠୁ ନେଇ ସରକାରଙ୍କ ପର୍ଯ୍ୟନ୍ତ ଚିନ୍ତାର କାରଣ ପାଲଟିଛି । ତେଣୁ ଏହାର ଦର କମ କରିବା ଉପାୟ ଉପରେ ସରକାର ବିଚାର ବିମର୍ଶ ଚଳାଇଛନ୍ତି ।
ଭାରତରେ ପାମ ଓଏଲ ମାଲେସିଆରୁ ଆମଦାନୀ ହୋଇଥାଏ । କିନ୍ତୁ ଲକ୍ଡାଉନ୍ କାରଣରୁ ଏହି ଦେଶରେ ତେଲ ଉତ୍ପାଦନ ହ୍ରାସ ପାଇଛି । ଏଥିସହ ମଞ୍ଜିର ଦାମ ମଧ୍ୟ ବଢି ଯାଇଛି । ଫଳରେ ତେଲ ଦାମ ବଢିବାରେ ଲାଗିଛି । କିନ୍ତୁ ସରକାରୀସ୍ତରରେ ଏହା ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାର ରହିଛି ।ଉପଭୋକ୍ତା ମନ୍ତ୍ରଣାଳୟ ଅନୁଯାୟୀ ଗତ ଗୁରୁବାର ସୋରିଷ ତେଲର ଦାମ ଲିଟର ପ୍ରତି ୧୨୦ ଟଙ୍କା ଥିଲା । ଗତ ବର୍ଷ ଠିକ୍ ଏହି ସମୟରେ ଏହାର ଦାମ ଲିଟର ପିଛା ୧୦୦ ଟଙ୍କା ରହିଥିଲା । ବନସ୍ପତି ତେଲର ଦାମ ଗୋଟିଏ ବର୍ଷ ପୂର୍ବେ ୭୫.୨୫ ଟଙ୍କା ଥିଲା, ଯାହା ଏବେ ବଢି ଲିଟର ପ୍ରତି ୧୦୨.୫ରେ ପହଞ୍ଚିଛି । ସୋୟାବିନ ତେଲର ହାରାହାରି ମୂଲ୍ୟ ଲିଟର ପିଛା ୧୧୦ ଟଙ୍କା ରହିଥିବା ବେଳେ ୨୦୧୯ ଅକ୍ଟୋବରରେ ଏହାର ଦାମ ୯୦ ଟଙ୍କା ଥିଲା । ସୂର୍ଯ୍ୟମୂଖୀ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି ।
ସେହି ପରି ସୋରିଷ ତେଲ ଓ ସୂର୍ଯ୍ୟମୂଖୀ ତେଲ ଦାମରେ ୩୦ ରୁ ୩୫ ପ୍ରତିଶତ ବୃଦ୍ଧି ଘଟିଛି । ତେଣୁ ସରକାର ଏବେ ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି ।