

ସତ୍ୟଶିଖା(ନୂଆଦିଲ୍ଲୀ) ୨୨.୦୭.୨୦୨୧: ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ୍ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଶୁଭ ଖବର । ୱିକେଟକିପର୍ ବ୍ୟାଟସମ୍ୟାନ୍ ଋଷଭ ପନ୍ତ କୋଭିଡରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଟିମରେ ସାମିଲ ହୋଇଛନ୍ତି । ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ପାଇଁ ଖେଳିବେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଏନେଇ ସୂଚନା ଦେଇଛି । ବିସିସିଆଇ ପନ୍ତଙ୍କ ଫଟୋ ସେୟାର କରି ଲେଖିଛି ଯେ, ହାଲୋ ଋଷଭ ପନ୍ତ । ପୁଣିଥରେ ଦେଖି ଭଲ ଲାଗିଲା । ସୂଚନାଅନୁସାରେ, ପନ୍ତ ବାୟୋ-ବବଲ ସତ୍ତ୍ୱେ ଜୁଲାଇ ୮ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସେ ଆଇସୋଲେସନରେ ରହିଥିଲେ । ଲଗାତର ଭାବେ ବିସିସିଆଇର ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରୁଥିଲା । ପନ୍ତ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ସେଠାରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଦାନ୍ତ ଡାକ୍ତରଙ୍କୁ ଦେଖା କରିବା ପରେ ଡେଲଟା ୩ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଏହାପରେ ବିସିସିଆଇ ସମ୍ପାଦକ ଜୟ ଶାହ ଚିଠି ଲେଖି ଦଳକୁ ଗହଳି ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ ।