ନ୍ୟୁଜ୍ରାଜ୍ୟ

ପର୍ଯ୍ୟଟନ ସ୍ଥଳକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସତ୍ୟଶିଖା( ବାଲେଶ୍ୱର )୧୯ .୦୮. ୨୦୨୨: ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଅର୍ଥାତ ଶନିବାର ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍‌ ୱାର୍ଣ୍ଣାଂ ଜାରି କରାଯାଇଛି। ଆସନ୍ନ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅର୍ଥାତ ଶନିବାର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ନଯିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦିପୁର, ତାଳସାରୀ, କଷାଫଳ, ଡଗରା ଓ ପଞ୍ଚଲିଙ୍ଗେଶ୍ୱରକୁ ନଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ।

ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଛୁଇଁବ। ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ, ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଏହି  ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ନ ବର୍ଷାକୁ ଦେଖି ଆଜି ଅପରାହ୍ନ ଗୋଟାଏରୁ ଜିଲ୍ଲାର ସବୁ ସ୍କୁଲ ବନ୍ଦ କରିଦିଆଯାଇଛି। ଆସନ୍ତାକାଲି ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। କିନ୍ତୁ ଶିକ୍ଷକମାନେ ସ୍କୁଲରେ ରହିବେ। ଯଦି ଜିଲ୍ଲାରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟିହୁଏ, ତାହାହେଲେ ସ୍କୁଲ କୋଠାକୁ ବାତ୍ୟା ଆଶ୍ରୟ ସ୍ଥଳ ରୂପେ ବ୍ୟବହାର କରାଯିବ। ଏନେଇ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି କରିଥିଲା।

 

Show More
Back to top button