ସତ୍ୟଶିଖା (ଭୁବନେଶ୍ୱର) ୧୩/୦୨/୧୦୨୧ : ନନ୍ଦନକାନନକୁ ବାର୍ଷିକ ୩୫ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ତାହାକୁ ନଜରରେ ରଖି ବସ୍ଷ୍ଟାଣ୍ଡ, ଆନୁଷଙ୍ଗିକ ସୁବିଧା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବାକୁ ହେବ । ବିଶେଷକରି ଚିଡ଼ିଆଖାନା ସମ୍ମୁଖ ଓ ବସ୍ଷ୍ଟାଣ୍ଡର ପୁନଃବିକାଶ ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୂର୍ତ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି ।
ଦେଶର ବୃହତ୍ତ ପ୍ରାକୃତିକ ଚିଡ଼ିଆଖାନା ଭାବେ ପ୍ରସିଦ୍ଧି ଲାଭ କରିଥିବା ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଛନ୍ତି । ପ୍ରାଣୀ ଉଦ୍ୟାନ ସମେତ ଏହାର ଚାରିପାର୍ଶ୍ବ କ୍ଷେତ୍ର ପରିଦର୍ଶନ ପୂର୍ବକ ସ୍ଥିତିର ସମୀକ୍ଷା କରିଛନ୍ତି । ଗସ୍ତ ସମୟରେ ଶ୍ରୀ ମହାପାତ୍ର ନନ୍ଦନକାନନ ସହ ନୂଆ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ ବର୍ଗ କିମି ଚୂଡ଼ଙ୍ଗଗଡ଼ ଜଙ୍ଗଲ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଉକ୍ତ ଜଙ୍ଗଲକୁ ନନ୍ଦନକାନନର ଏକ ଅଂଶ ଭାବେ ବନ୍ୟଜନ୍ତୁ ସଫାରି ଭାବେ ବିକଶିତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଜଙ୍ଗଲ ଜମି ଓ ବନ୍ୟଜନ୍ତୁମାନଙ୍କ ସୁରକ୍ଷା ନିମନ୍ତେ ଏହା ଚତୁଃପାର୍ଶ୍ବରେ ଜୁନ୍ ଶେଷ ସୁଦ୍ଧା ପାଚେରି ନିର୍ମାଣ କରାଯିବ । ଏକ ଜଙ୍ଗଲ ସଫାରି ଭଳି ଏହି ଅଞ୍ଚଳକୁ ବିକଶିତ କରାଯିବ । ବଟାନିକାଲ ଗାର୍ଡେନ୍କୁ ସିଧାସଳଖ ଜୟଦେବ ବିହାର-ନନ୍ଦନକାନନ ମୁଖ୍ୟ ରାସ୍ତା ସହ ସଂଯୋଗ ହେବ । ଏଥିପାଇଁ ପ୍ରାୟ ୫୦୦ ମିଟର ରାସ୍ତା ଓ ଝରଣା ନିମନ୍ତେ କଲଭର୍ଟ ଆଦି ନିର୍ମାଣ ହେବ । ପୂର୍ତ୍ତ ବିଭାଗ ଏଥିପାଇଁ ତୁରନ୍ତ ଡିପିଆର ଓ ଖର୍ଚ୍ଚ ଆକଳନ କରିବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଥିଲେ ।
ନନ୍ଦନକାନନରେ ନିର୍ମାଣାଧୀନ ବହୁତଳ ଗାଡ଼ି ପାର୍କିଂର ନିର୍ମାଣ କାର୍ଯ୍ୟ ତଦାରଖ କରି ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ପାର୍କିଂ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଟେଣ୍ଡର୍ ପ୍ରକ୍ରିୟା ସାରିବାକୁ ନନ୍ଦନକାନନ କର୍ତୃପକ୍ଷଙ୍କୁ କୁହାଯାଇଛି । ଏହା ରାଜ୍ୟର ସର୍ବବୃହତ୍ତ ବହୁତଳ ପାର୍କିଂ ହେବ । ଏଠାରେ ଏକ ସମୟରେ ୧୫୦୦ ଚାରିଚକିଆ ଓ ୬୦୦ ଦୁଇ ଚକିଆ ଯାନ ରହିପାରିବ । ନିର୍ମାଣ କାର୍ଯ୍ୟ ସହ ବିଦ୍ୟୁତ୍, ପାଣି ଓ ଲିଫ୍ଟ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ପିଲାଙ୍କ ପାଇଁ ଟଏ-ଟ୍ରେନ୍କୁ ଅଧିକ ଆକର୍ଷଣୀୟ କରାଯିବାକୁ ସ୍ଥିର ହୋଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସମେତ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ବନ୍ୟପ୍ରାଣୀ ସଂରକ୍ଷକ ତଥା ନନ୍ଦନକାନନ ନିର୍ଦେଶକ ଶଶି ପଲ୍ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।