

ସତ୍ୟଶିଖା(ଭଦ୍ରକ ) ୧୫ .୦୧.୨୦୨୨ : ସ୍ୱାମୀ ଓ ସ୍ତ୍ରୀର ସଂପର୍କ ସାତ ଜନ୍ମର। ସୁଖଦୁଃଖ, ଝଡ଼ଝଞ୍ଜା ସବୁ କିଛି ମିଳିମିଶି ସାମନା କରିବାକୁ ନିଆଁକୁ ସାକ୍ଷୀ ରଖି ବେଦୀରେ ଶପଥ ନେଇଥାନ୍ତି ଦୁହେଁ। ହେଲେ ସ୍ୱାମୀ ଉପରେ ବିପଦ ପଡ଼ୁ ପଡ଼ୁ ବାଟ କାଟିଦେଲା ସ୍ତ୍ରୀ। ସ୍ୱାମୀ ଏଚଆଇଭି ପଜିଟିଭ ଜାଣିବା ପରେ ମାତ୍ର ୩ ବର୍ଷର ସଂସାରକୁ ନିଜ ହାତରେ ଛାରଖାର କରିଦେଲା ସ୍ତ୍ରୀ। ଶୁଣିଲାନି ସ୍ୱାମୀର ଗୁହାରି। ଏପରିକି ଛୁଆକୁ ଧରି ପତ୍ନୀ ବାପଘରକୁ ଚାଲିଯାଇଥିବା ବେଳେ ଏକାକୀ ଥିବା ଏଚଆଇଭି ଆକ୍ରାନ୍ତ ସ୍ୱାମୀ ଭାଙ୍ଗି ପଡ଼ିଛି । ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତୋଡଙ୍ଗାରେ ଦେଖିବାକୁ ମିଳିଛି।
ତୋଡଙ୍ଗା ପଞ୍ଚାୟତର ଯୁବକଜଣକ ୩ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଚଳିବା ବେଶି ସ୍ୱଚ୍ଛଳ ନ ଥିଲେ ବି ବେଶ୍ ହସଖୁସିରେ ଗଡ଼ୁଥିଲା ସଂସାର ଗାଡ଼ି। ନିଜ ବାପା, ମାଆ, ସ୍ତ୍ରୀପିଲାଙ୍କ ସହ ବେଶ୍ ହସଖୁସିରେ ଯୁବକଙ୍କ ଦିନ କଟି ଯାଉଥିଲା।
କିଛି ଦିନ ପୂର୍ବେ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୁବକଜଣକ ରକ୍ତଦାନ କରିଥିଲେ । ସେଠାରେ ସେ HIV ପଜିଟିଭ ଥିବା ଜଣାପଡ଼ିଲା। ଏନେଇ ଯୁବକଜଣକ ନିଜ ଘରେ ତଥା ପତ୍ନୀଙ୍କୁ ଜଣାଇବା ପରେ ଆରମ୍ଭ ହେଇଥିଲା ପାରିବାରିକ ଜୀବନରେ ଝଡ଼।