ନ୍ୟୁଜ୍ରାଜ୍ୟ

ଆଜି ଫଳ ଘୋଷଣା ; ଦ୍ରୌପଦୀଙ୍କ ଗାଁ ଉତ୍ସବମୁଖର

ବିଜେପି ପକ୍ଷରୁ ଦୁଇଦିନ ଧରି ବିଜୟ ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି,ଆତସବାଜି, ଆଦିବାସୀ ନୃତ୍ୟ ପରିବେଷଣ ସହ ବଣ୍ଟନ ହେବ ୨୦ ହଜାର ଲଡୁ

ସତ୍ୟଶିଖା( ଭୁବନେଶ୍ୱର )୨୧.୦୭ . ୨୦୨୨: ରାଇରଙ୍ଗପୁର : ଗୁରବାର ସୂର୍ଯ୍ୟୋଦୟ ଭାରତବର୍ଷକୁ ନୂତନ ଆଶାର କିରଣ ପ୍ରଦାନ କରିବ। ଭାରତର ସ୍ୱାଧୀନତାର ୭୫ବର୍ଷ ପରେ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦ୍ରୌପଦୀ ମୁର୍ମୁ ପ୍ରଥମ ଥର କରି ଭାରତର ମହାମହିମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ସୁନିଶ୍ଚିତ। ଏଥିପାଇଁ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ସହର, ତାଙ୍କ ଜନ୍ମିତ ଗାଁ କୁସୁମୀ ବ୍ଲକର ଉପରବେଡା ଗାଁ ଓ ଶଶୁର ଘର ଗାଁ ପାହାଡପୁର ଉତ୍ସବ ମୁଖର ହୋଇପଡ଼ିଛି। ଏହି ସବୁ ସ୍ଥାନ ତଥା ଉପଖଣ୍ଡର ସମସ୍ତ ବ୍ଲକରେ ବିଜେପି ତରଫରୁ ସମସ୍ତଙ୍କୁ ସାମିଲ କରି ବିଜୟ ଉତ୍ସବ ଆନନ୍ଦଉଲ୍ଲାସର ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି। ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, ବରିଷ୍ଠ ନେତା ବିକାଶ କୁମାର ମହାନ୍ତ, ଶିବକୁମାର ଅଗ୍ରୱାଲ, ଲୁଲୁ ସାମଲ, ଯଦୁମଣି ଗିରି, ଗୌରବ ଅଗ୍ରୱାଲ, କିଶୋର ରଜକ, ମଳୟ ଦାସ, ସୁନ୍ଦର ମହାନ୍ତ ପ୍ରମୁଖ ପ୍ରସ୍ତୁତିରେ ଲାଗିଛନ୍ତି। ଗୁରୁବାର ମଧ୍ୟାହ୍ନରେ ବିଜୟ ଉତ୍ସବ ପାଳନ ନେଇ ଦଳ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଦିବାସୀ ନୃତ୍ୟ ପରିବେଷଣ, ଆତସବାଜି ସଙ୍ଗକୁ ୨୦ହଜାରରୁ ଅଧିକ ଲଡୁ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଆଜି ସହରରେ ଡାକବାଜି ଯନ୍ତ୍ର ଯୋଗେ ବିଜୟ ଉତ୍ସବରେ ଦଳମତ, ଜାତିଧର୍ମ ନିର୍ବିଶେଷରେ ସମସ୍ତଙ୍କ ଉପସ୍ଥିତି କାମନା କରାଯାଇଛି। ଏହି ବିରଳ ମୁହୂର୍ତ୍ତକୁ ସାମୁହିକ ଭାବେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି। ଏ ନେଇ ସହରର ରଙ୍ଗଲାଲ ଧର୍ମଶାଳାରେ ବିଜେପି ତରଫରୁ ୨୦ହଜାର ଲଡୁ ପ୍ରସ୍ତୁତ କରାଯାଇଛି। ଅଭିଜ୍ଞ କାରିଗର ବିନୋଦ ବାହାରୀ ଗିରିଙ୍କ ସମେତ ୧୫ଜଣ କାରୀଗର ଦେଶୀ ଘିଅରେ ଏହି ଲଡୁ ପ୍ରସ୍ତୁତ କରୁଛନ୍ତି। ଗୁରୁବାର ୨୧ ତାରିଖ ଓ ଶୁକ୍ରବାର ୨୨ ତାରିଖ ଦୁଇ ଦିନ ଧରି ବିଜୟ ଉତ୍ସବ ପାଳନ କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ସୂଚନା ଦେଇ କହିଛନ୍ତି। ସେହିପରି ଦ୍ରୌପଦୀ ମୁର୍ମୁଙ୍କ ଶଶୁର ଘର ପାହାଡପୁରରେ ବ୍ୟାପକ ଆୟୋଜନ କରାଯାଇଥିବା ମୁନା ପ୍ରତିହାରୀ  ସୂଚନା ଦେଇଛନ୍ତି। ପାହାଡପୁର ଗ୍ରାମରେ ୨୦୦୦ରୁ ଅଧିକ ଲୋକଙ୍କ ସମାବେଶରେ ବିଜୟ ଉତ୍ସବ ପାଳନ ହେବ ବୋଲି ସେ ସୂଚନା ଦେଇଛନ୍ତି।

Show More
Back to top button