
ସତ୍ୟଶିଖା (ଭୁବନେଶ୍ୱର) ୨୨/୦୧/୨୦୨୧ : କରୋନା ମହାମାରୀ ବ୍ୟାପିବା ପରେ ପଠପଢ଼ା ଠାରୁ ଆରମ୍ଭ କରି କିଣାକିଣି ବେଳେ ପେମେଣ୍ଟ୍ ଆଦି ଅନେକ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ହେଉଛି । ଡିଜିଟାଲ୍ ସେବା ଉପଭୋଗ କରିବା ଲାଗି ଇଣ୍ଟରନେଟ୍ ଅତ୍ୟନ୍ତ ଜରୁରୀ । ଏହା ବିନା ଅନ୍ଲାଇନ୍ ସେବା ହାସଲ କରିହେବ ନାହିଁ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଓଡ଼ିଶାର ଅଧା ଲୋକଙ୍କ ପାଖରେ ମଧ୍ୟ ଇଣ୍ଟରନେଟ୍ ସେବା ପହଞ୍ଚି ନାହିଁ । ରାଜ୍ୟରେ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୪୬ ଜଣଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଛି । ଏକ୍ଷେତ୍ରରେ ଦେଶର ଅନେକ ରାଜ୍ୟ ଠାରୁ ଓଡ଼ିଶା ପଛୁଆ ରହିଛି । ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ ଓ କାଶ୍ମୀର, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟ ଅନୁଯାୟୀ ୨୦୨୦ ସେପ୍ଟେମ୍ବର ଶେଷ ସୁଦ୍ଧା ଓଡ଼ିଶାରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦.୩୪ ନିୟୁତ ଥିଲା । ସେଥି ମଧ୍ୟରୁ ୧୩.୦୯ ନିୟୁତ ଗ୍ରାମାଞ୍ଚଳରେ ଥିବା ବେଳେ ୭.୨୫ ନିୟୁତ ବ୍ୟବହାରକାରୀ ସହରାଞ୍ଚଳର ଥିଲେ । କିନ୍ତୁ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ସହରାଞ୍ଚଳର ୯୦ ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ ମାତ୍ର ୩୭ ଜଣଙ୍କ ପାଖରେ ଇଣ୍ଟରନେଟ୍ ସୁବିଧା ପହଞ୍ଚିପାରିଛି । ଏକ୍ଷେତ୍ରରେ ଜାତୀୟ ହାର ଠାରୁ ଓଡ଼ିଶା ପଛରେ ରହିଛି । ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚାଇବାରେ ଦିଲ୍ଲୀ ଶୀର୍ଷ ସ୍ଥାନରେ ଥିବା ବେଳେ ପଞ୍ଜାବ, ହିମାଚଳପ୍ରଦେଶ, କେରଳ ଓ ମହାରାଷ୍ଟ୍ର ମଧ୍ୟ ବହୁତ ଆଗରେ ରହିଛନ୍ତି । ଓଡ଼ିଶା ଠାରୁ ଆସାମ, ବିହାର, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ସ୍ଥିତି ଖରାପ ରହିଛି ।