

ସତ୍ୟଶିଖା ୦୫/୦୨/୨୦୨୧ : କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଆପଣଙ୍କୁ ଅଫର ଦେଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । ନଚେତ୍ ଆପଣବି ହୋଇପାରନ୍ତି ଠକାମୀର ଶିକାର । ଏପରି ଅଭିଯୋଗକୁ ନେଇ କଟକରେ ଥାନାରେ ଦାଏର ହୋଇଛି ମାମଲା । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେ ୫୦ ହଜାର ଲୋକଙ୍କୁ ଏପରି ସ୍କିମରେ ସାମିଲ କରିଥିଲା ।
ସୂଚନା ଅନୁଯାୟୀ, ୨୦୨୦ ମେ ମାସରେ ସଦର ଥାନା ଅନ୍ତର୍ଗତ ବୟାଳିଶ ମୌଜା ଅଞ୍ଚଳର ଏକ ଘରୋଇ ସ˚ସ୍ଥା ରାଜ୍ୟରେ ପ୍ରାୟ ୨୦୦ରୁ ଅଧିକ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଥିଲା । ସ˚ସ୍ଥା ଏଜେଣ୍ଟଙ୍କୁ ଲୋଭ ଦେଖାଇଥିଲା ଯେ ଜଣେ ମୋବାଇଲ ଗ୍ରାହକ ଏକ ବର୍ଷ ପାଇଁ ୯୯୯ ଟଙ୍କା ମୋବାଇଲ୍ ରିଚାର୍ଜ କଲେ ତାକୁ କମ୍ପାନି ଅନଲିମିଟେଡ୍ କଲ ଏବ˚ ଦୈନିକ ୨ ଜିବି ଡାଟା ଯୋଗାଇବ । ଜଣେ ଗ୍ରାହକର ମୋବାଇଲ୍ ରିଚାର୍ଜ ହେଲେ ସ˚ସ୍ଥା ସମ୍ପୃକ୍ତ ଏଜେଣ୍ଟଙ୍କୁ ୧୨୫ ଟଙ୍କା କମିସନ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲା । ସେହିପରି ଜଣେ ଗ୍ରାହକର ୧୪ଶହ ୯୯ ଟଙ୍କାର ଡିଟିଏଚ୍ ରିଚାର୍ଜ କଲେ ବର୍ଷ ସାରା ମାଗଣାରେ ଟିଭି ଦେଖିପାରିବେ । ଏହାସହିତ ଏଜେଣ୍ଟଙ୍କୁ ୧୩୫ ଟଙ୍କା କମିସନ ମିଳିବ ।
ଏଭଳି ଲୋଭନୀୟ ପ୍ରତିଶ୍ରୁତିରେ ଏଜେଣ୍ଟମାନେ ରାଜ୍ୟରେ ପ୍ରାୟ ୨ ଲକ୍ଷ ପାଖାପାଖି ଗ୍ରାହକଙ୍କ ଡିଟିଏଚ୍ ଓ ମୋବାଇଲ୍ ରିଚାର୍ଜ କରିଥିଲେ । କିନ୍ତୁ ଏବେ ପୂର୍ବ ପ୍ରତିଶ୍ରୁତି ମୁତାବକ ଏକ ବର୍ଷ ଯାଏ ମାଗଣାରେ ସେବା ଯୋଗାଇବା ବଦଳରେ ମାତ୍ର ଦୁଇ ତିନି ମାସରେ ସେବା କାଟି ଦିଆଯାଇଛି । ରାଜ୍ୟରେ ପ୍ରାୟ ୬ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରାଯାଉଛି । ଗ୍ରାହକମାନେ ଠକେଇର ଶିକାର ହୋଇ ଏଜେଣ୍ଟଙ୍କୁ ଧରିବାରୁ ଏଜେଣ୍ଟମାନେ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି । ସମ୍ପୃକ୍ତ ସ˚ସ୍ଥାକୁ ଏଜେଣ୍ଟମାନେ ଗଲାକାଲି ଯାଇଥିଲେ । କିନ୍ତୁ ସ˚ସ୍ଥାରେ ତାଲା ଝୁଲିଥିଲା । ଆଜି ଏଜେଣ୍ଟମାନେ ମିଳିତ ହୋଇ ଡିସିପିଙ୍କ ଅଫିସରେ ଫେରାଦ ହୋଇଛନ୍ତି । ଏହି ଘଟଣାର ତଦନ୍ତ ସହିତ ଟଙ୍କା ଫେରସ୍ତ ନେଇ ଦାବି କରିଛନ୍ତି ।