

ସତ୍ୟଶିଖା( ବ୍ରହ୍ମପୁର )୦୩.୦୩.୨୦୨୨ : ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିବସରେ ଗୋଟିଏ ହେଲେ ପ୍ରାର୍ଥୀପତ୍ର ଦାଖଲ ହୋଇନାହିଁ । ପୂର୍ବରୁ ସମସ୍ତ ପ୍ରାର୍ଥୀପତ୍ର ଦାଖଲ ବିଏମ୍ସିି କାର୍ଯ୍ୟାଳୟରେ ହେଉଥିବା ବେଳେ ଚଳିତ ଥର ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଉଛି । ଏଥିପାଇଁ ଆଜି ଉପଖଣ୍ଡସ୍ତରୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ମୁଖ୍ୟ ଫାଟକକୁ ବନ୍ଦ ରଖାଯାଇଛି । ବ୍ୟାପକ ପୁଲିସ ମୁତୟନ ରହିଥିଲେ । ପ୍ରବେଶ ପଥରେ ଯେଉଁ ବ୍ୟକ୍ତି କାର୍ଯ୍ୟାଳୟକୁ ପ୍ରବେଶ କରୁଥିଲେ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ଲିପିବଦ୍ଧ କରାଯାଇଥିବା ପରିଲକ୍ଷିତ ହୋଇଥିଲା ।
ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ନାମାଙ୍କନ ଦାଖଲ ହେବା ନେଇ ସମସ୍ତ ବନ୍ଦୋବସ୍ତ ହୋଇଥିଲା । ତେବେ ପ୍ରଥମ ଦିବସରେ କୌଣସି ନାମାଙ୍କନ ହୋଇନଥିବା ବେଳେ ମେୟର ପଦବୀ ପାଇଁ ଦୁଇ ଜଣ ମହିଳା ଫର୍ମ ସଂଗ୍ରହ କରିଛନ୍ତି । ସେହିଭଳି କର୍ପୋରେଟର ପଦବୀ ପାଇଁ ମୋଟ ୫୮ଟି ଫର୍ମ ପ୍ରଦାନ କରାଯାଇଛି । ମହାନଗର ନିର୍ବାଚନ ଅତ୍ୟନ୍ତ ରୋଚକ ରାଜନୈତିକ ପରିବେଶରେ ଆରମ୍ଭ ହେବାକୁ ଯାଉଛି । ଶାସକ ଦଳ ସଦ୍ୟ ବିଜୟ ଉଲ୍ଲାସରେ ରହିଥିବାବେଳେ ଏଯାବତ୍ କେଉଁ ୱାର୍ଡରେ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦେବ ସେ ନେଇ ସୂଚନା ପ୍ରଦାନ କରିନାହିଁ । ଅନ୍ୟ ପକ୍ଷରେ ଦୁଇ ବିରୋଧୀ ଦଳ ତରଫରୁ କୌଣସି କାରଣରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ । ପୂର୍ବରୁ ମହାନଗର ନିର୍ବାଚନ ପାଇଁ ପ୍ରାର୍ଥୀ ଏବଂ ଦଳ ପାଇଁ ଯଥେଷ୍ଟ ସମୟ ହାତରେ ରହୁଥିବା ବେଳେ ଚଳିତ ଥର ପ୍ରାର୍ଥୀଙ୍କ ପ୍ରସ୍ତୁତି, ପ୍ରଚାର ଜନସମ୍ପର୍କ ଆଦି କାର୍ଯ୍ୟକ୍ରମ ପାଇଁ କେବଳ୧୦ଟି ଦିନ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଚଳିତ ମାସ ୨୪ ତାରିଖରେ ଭୋଟ ଗ୍ରହଣ ହେବ । ପ୍ରାର୍ଥୀ ପତ୍ର ଦାଖଲ, ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ରହିଛି ।
ସମୟ ପର୍ଯ୍ୟନ୍ତ କେଉଁ ଦଳର କିଏ ପ୍ରାର୍ଥୀ ରହିଛନ୍ତି ସେ ନେଇ ଚିତ୍ର ଅସ୍ପଷ୍ଟ ରହିବ । ଚୁଡ଼ାନ୍ତ ନିଷ୍ପତ୍ତି ପରେ ହିଁ ପ୍ରାର୍ଥୀ ନିଜ ଦଳୀୟ ପରିଚୟ ପାଇ ଆର୍ଥିକ ତଥା ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିବ ବେଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପ୍ରଚାର ପାଇଁ ହାତଗଣତିରେ ଦିନ ରହିଥିବା ବେଳେ ନିଜ ନିଜ ୱାର୍ଡରେ କେବେ ବୁଲିବେ କିଭଳି ପ୍ରଚାର କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରାର୍ଥୀ। ପ୍ରାୟତଃ ସବୁ ନିର୍ବାଚନ ବେଳେ ମାସକର ସମୟ ମିଳୁଥିବା ବେଳେ ଚଳିତ ଥର ସମୟର ଅଭାବ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ସମ୍ପ୍ରତି ଶାସକ ଦଳଙ୍କଠାରେ ପର୍ଯ୍ୟାପ୍ତ ପ୍ରାର୍ଥୀ ରହିଥିବା ବେଳେ ବିରୋଧୀ ପ୍ର୍ରାର୍ଥୀ ଅନ୍ୱେଷଣରେ ରହିଛନ୍ତି । ଶେଷ ମୁହୁର୍ତ୍ତରେ ଦଳବଦଳ ପ୍ରକ୍ରିୟା ମଧ୍ୟ ହୋଇପାରେ । କାରଣ ଶାସକ ଦଳର ଅସନ୍ତୁଷ୍ଟ ଟିକେଟ ନ ପାଇଲେ ଅନ୍ୟ ଦଳ ପାଇଁ ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । କଂଗ୍ରେସ, ବିଜେପି ନିଜ ତରଫରୁ ମୁହଁ ଖୋଲିନଥିôବା ବେଳେ ଅନେକ ପ୍ରାର୍ଥୀ ଆଜି ନିଜ ଆଡ଼ୁ ନିଜର ପ୍ରାର୍ଥୀତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ଦିବସରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ର୍ରାର୍ଥୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିଲା ।
ମୁଖ୍ୟତଃ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାର୍ଥୀଙ୍କ ପାଇଁ ଅତ୍ୟାବଶ୍ୟକ ହେଉଥିôବା ସୂଚନା ରହିଥିଲା । ସେଥିରେ ଉଲ୍ଲେଖ ରହିଥିôଲା ଯେ ପ୍ରାର୍ଥୀମାନେ ସମସ୍ତ ତଥ୍ୟ ସଠିକ୍ ଭାବେ ସତ୍ୟପାଠ ସହ ପ୍ରଦାନ କରିବେ । ପ୍ରାର୍ଥୀମାନେ ନାମାଙ୍କନ ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କେବଳ ୩ଜଣ ପ୍ରବେଶ କରିବେ । ସାଧାରଣତଃ ବ୍ରହ୍ମପୁର ସହରରେ କର୍ପୋରେଟର ପ୍ରାର୍ଥୀମାନେ ନାମାଙ୍କନ ବେଳେ ନିଜ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିଥାନ୍ତି । କିନ୍ତୁ ଚଳିତ ଥର ତାହା ସମ୍ଭବ ହେବ ନାହିଁ । ସହରରେ ମୋଟ ୪୨ଟି ୱାର୍ଡ ପାଇଁ କର୍ପୋରେଟର ପ୍ରାର୍ଥୀ ଗୋଟିଏ ୱାର୍ଡ ପାଇଁ ଅତି କମ୍ରେ ୭ରୁ ଊର୍ଦ୍ଧ୍ୱ ରହିବେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି । ଫଳରେ ମୋଟ ୩ ଶହରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଛି ।