ଲୋନ୍ ମୋରେଟୋରିୟମ୍କୁ ନେଇ ଆଶ୍ବସ୍ତି: ଦେବାକୁ ହେବନି ସୁଧ ଉପରେ ସୁଧ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୩/୧୦/୨୦୨୦ : କେନ୍ଦ୍ର ସରକାରଙ୍କ ଋଣ କରିଥିବା ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଘୋଷଣା କରିଛନ୍ତି । ସରକାର ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ ଏମଏସଏମଇ ଋଣ, ଶିକ୍ଷା, ଶିକ୍ଷା, ଗୃହ, ଉପଭୋକ୍ତା, ଅଟୋ, କ୍ରେଡିଟ୍ କାର୍ଡ ଦେୟ ଏବଂ ଉପଭୋକ୍ତା ଋଣ ଉପରେ ଲାଗୁ ହୋଇଥିବା ଚକ୍ରବୁଦ୍ଧି ସୁଧ ଛାଡ କରାଯିବ। ସରକାରଙ୍କ ଅନୁଯାୟୀ ୬ ମାସର ଲୋନ ମୋରେଟୋରିୟମ ସମୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ସୁଧ ଛାଡ କରାଯିବ । କେନ୍ଦ୍ର କହିଛି ଯେ କରୋନା ଭାଇରସ ମହାମାରୀ ସ୍ଥିତିରେ ସୁଧ ଛାଡ ଭାର ସରକାର ବହନ କରନ୍ତୁ କେବଳ ଏହା ହିଁ ସମାଧାନ । ଏହାସହ କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଉପଯୁକ୍ତ ଅନୁଦାନ ପାଇଁ ସଂସଦରୁ ଅନୁମତି ନିଆଯିବ । କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ଶେଷରୁ ଜୁଲାଇ ମାସ ଯାଏଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା । ଲକଡାଉନ ଯୋଗୁଁ ଲୋକଙ୍କ କାମଧନ୍ଦା ବନ୍ଦ ରହିଥିଲା । ଫଳରେ ଅଧିକାଂଶ ଲୋକ E.M.I ଶୁଝିବା ସ୍ଥିତିରେ ନଥିଲେ । ସେଥିପାଇଁ ଆରବିଆଇ ୬ ମାସ ଯାଏଁ E.M.I ନ ସୁଝିବାକୁ ଆଦେଶ ଦେଇଥିଲା ।କିନ୍ତୁ ମୋରେଟୋରିୟମ ବଦଳରେ ଲାଗୁଥିବା ଅତିରିକ୍ତ ଚାର୍ଜକୁ ନେଇ ସବୁଠାରୁ ବଡ ସମସ୍ୟା ଥିଲା । ଏହି ଅତିରିକ୍ତ ଚାର୍ଜ ଋଣ ନେଇଥିବା ଗ୍ରାହକଙ୍କ ପାଇଁ ବହୁତ ବଡ ବୋଝ ଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ଆଶ୍ବସ୍ତିର ଅର୍ଥ ହେଲା ଲୋନ ମୋରେଟୋରିୟମର ଲାଭ ଉଠାଉଥିବା ଲୋକଙ୍କୁ ବର୍ତ୍ତମାନ ସୁଧ ଉପରେ ଅତିରିକ୍ତ ସୁଧ ଦେବାକୁ ହେବନାହିଁ । ଏହା ପୂର୍ବରୁ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ବିଭିନ୍ନ କ୍ଷେତ୍ର ପାଇଁ କିଛି ଖାସ ଯୋଜନା ନେଇ ଆସନ୍ତୁ । କୋର୍ଟ ଏହି ମାମଲାକୁ ବାରମ୍ବାର ସ୍ଥଗିତ କରିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ସୁପ୍ରିମକୋର୍ଟ ଅଗଷ୍ଟ ୩୧ ତାରିଖ ଯାଏଁ N.P.A ହୋଇନଥିବା ଲୋନ ଡିଫଲ୍ଟର୍ସଙ୍କୁ N.P.A ଘୋଷିତ ନ କରିବାକୁ ଅନ୍ତରୀଣ ଆଦେଶ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ମୋରେଟୋରିୟମ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ । ନ୍ୟାୟାଳୟ କହିଥିଲେ ଯେ ଏହି ମାମଲାରେ ଆଫିଡେଭିଟ୍ ଦାଖଲ କେନ୍ଦ୍ର ସରକାର ନିଜ ଭାବନା ସ୍ପଷ୍ଟ କରନ୍ତୁ ଏବଂ ରିଜର୍ଭ ବ୍ୟାଙ୍କ ପଛରେ ଲୁଚି ନିଜକୁ ସୁରକ୍ଷିତ ନ ରଖନ୍ତୁ । ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଯେ ଆପଣ କେବଳ ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରିପାରିବେ ନାହିଁ । ଲୋକଙ୍କ ସମସ୍ୟା ମଧ୍ୟ ଦେଖିବାକୁ ପଡ଼ିବ ।