

ସତ୍ୟଶିଖା (ଭୁବନେଶ୍ୱର) ୨୫.୦୩.୨୦୨୨: ଅସହ୍ୟ ଖରାରେ, ତତଲା ତାୱାରେ ସିଝୁଛି ଓଡିଶା । ରାଜ୍ୟର ୧୨ ସହରର ତାପମାତ୍ରା ୩୯ଡିଗ୍ରୀଠୁ ଅଧିକ ରହିଛି । ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ଡିଗ୍ରୀ ପାର୍ କରିଛି । ଏହାପଛକୁ ବଲାଙ୍ଗୀର ୪୧.୩ଡିଗ୍ରୀ ତାପମାତ୍ର ରହିଛି । ସମ୍ବଲପୁର ଓ ବୌଦ୍ଧରେ ଦିନ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ ହୋଇଛି ।
ଏହାରି ଭିତରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ମହାରାଷ୍ଟ୍ର ମଧ୍ୟ ଭାଗରୁ ସଂଲଗ୍ନ ଅଞ୍ଚଳ ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଫଳରେ ସମୁଦ୍ର ଆଡୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ତେଣୁ ଉତ୍ତାପ ଓ ଜଳବାୟୁ ମିଶି କିଛି ସ୍ଥାନରେ ଘଡଘଡି ବର୍ଷା କରାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି ।
ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବ । ଅନ୍ୟ ସବୁ ସ୍ଥାନରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ସ୍ୱାଭାବିକଠାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି କେନ୍ଦ୍ର । ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ .୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ମୟୂରଭଞ୍ଜ, ବାଲଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଓ କନ୍ଧମାଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।