ଖେଳଦେଶନ୍ୟୁଜ୍ବିଦେଶମନୋରଞ୍ଜନ

ଆଇପିଏଲ୍‌ ଖେଳାଳି ନିଲାମରେ ଶ୍ରୀଶାନ୍ତଙ୍କ ସହ ୧୦୯୭ କ୍ରିକେଟର୍‌ଙ୍କ ନାମ ପଞ୍ଜୀକରଣ

ସତ୍ୟଶିଖା ୦୬/୦୨/୨୦୨୧ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଖେଳାଳି ନିଲାମ ଆସନ୍ତା ୧୮ରେ ଅନୁଷ୍ଠିତ ହେବ । ୨୦୨୧ ସଂସ୍କରଣ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ଏହି ଖେଳାଳି ନିଲାମ ନିମନ୍ତେ ମୋଟ୍‌ ୧୦୯୭ଜଣ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୮୧୪ଜଣ ଭାରତୀୟ ଓ ୨୮୩ଜଣ ବିଦେଶୀ କ୍ରିକେଟର୍‌ ରହିଛନ୍ତି । ଭାରତୀୟ କ୍ରିକେଟ୍‌ ଦଳ ତରଫରୁ ଖେଳିଥିବା ୨୧ଜଣ କ୍ରିକେଟର୍‌ ନିଲାମ ନିମନ୍ତେ ନିଜ ନାମ ପଞ୍ଜିକୃତ କରାଇଛନ୍ତି । ଆଇପିଏଲ୍‌ ଖେଳାଳି ନିଲାମ ନିମନ୍ତେ ନାମ ପଞ୍ଜୀକରଣ ନିମନ୍ତେ ଶେଷ ତାରିଖ ୪ ଥିଲା ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ବରିଷ୍ଠ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ଓ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ୍‌ ଆଇପିଏଲ୍‌ ଖେଳାଳି ନିଲାମରେ ସାମିଲ ହୋଇ ନାହାନ୍ତି । ଷ୍ଟାର୍କ ଶେଷଥର ପାଇଁ ୨୦୧୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ତରଫରୁ ଆଇପିଏଲ୍‌ ଖେଳିଥିଲେ । ବାରମ୍ବାର ଆଘାତପ୍ରାପ୍ତ ହେବା ସହ ଏକାସଙ୍ଗେ ଅଷ୍ଟ୍ରେଲିଆ ଜାତୀୟ ଦଳ ଓ ଆଇପିଏଲ୍ ଦଳ ତରଫରୁ ମ୍ୟାଚ୍‌ ଖେଳିବା କଷ୍ଟକର ହେବ ବୋଲି ଅନୁଭବ କରି ଷ୍ଟାର୍କ ଖେଳାଳି ନିଲାମରେ ସାମିଲ ହୋଇନଥିବା ଆଲୋଚନା ହେଉଛି । ସେହିପରି ୨୦୨୦ ଆଇପିଏଲ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ ତରଫରୁ ଖେଳିଥିବା ଅଷ୍ଟ୍ରେଲିଆ ବୋଲର ଜେମ୍‌ସ ପାଟିନସନ୍‌ ମଧ୍ୟ ଖେଳାଳି ନିଲାମରେ ସାମିଲ ହୋଇନାହାନ୍ତି ।

ଖେଳାଳି ନିଲାମରେ ସାମିଲ ହୋଇଛନ୍ତି ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ୍‌ ଅଲ୍‌ ହସନ୍‌ ଓ ଭାରତୀୟ ଦ୍ରୁତ ବୋଲର ଶ୍ରୀଶାନ୍ତ । ଭିନ୍ନ ଭିନ୍ନ କାରଣ ପାଇଁ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ ସାକିବ୍‌ ଓ ଶ୍ରୀଶାନ୍ତ । ତେବେ ବାସନ୍ଦ ସମୟ ଶେଷ ହେବା ପରେ ଏହି ଦୁଇ କ୍ରିକେଟର୍‌ ଖେଳାଳି ନିଲାମରେ ସାମିଲ ହୋଇଛନ୍ତି । ସାକିବ୍‌ ନିଜ ବେସ୍‌ ପ୍ରାଇସ୍‌ (ମୂଳ ମୂଲ୍ୟ) ୨ କୋଟି ଟଙ୍କା ରଖିଥିବା ବେଳେ ଶ୍ରୀଶାନ୍ତ ନିଜ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ରଖିଛନ୍ତି । ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍ ରଖିଥିବା ଅନ୍ୟ ଖେଳାଳିମାନେ ହେଲେ କେଦାର ଯାଦବ, ହରଭଜନ ସିଂହ, ଗ୍ଲେନ୍‌ ମ୍ୟାକ୍‌ସୱେଲ୍‌, ଷ୍ଟିଭେନ୍‌ ସ୍ମିଥ୍‌, ମୋଇନ୍‌ ଅଲ୍ଲି, ସାମ୍‌ ବିଲିଙ୍ଗ୍‌ସ, ଲିଆମ୍‌ ପ୍ଲଙ୍କେଟ୍‌, ଜାସନ୍‌ ରୟ, ମାର୍କ ଉଡ୍‌ ଓ କଲିନ୍ ଇନ୍‌ଗ୍ରାମ୍‌ ।

ଟ୍ବେଣ୍ଟି୨୦ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିବା ଇଂଲଣ୍ଡର ଡାୱିଡ୍ ମାଲାନ୍‌, ମୁଜିବ୍‌ ଉର ରେହମାନ୍‌, ଆଲେକ୍ସ କ୍ୟାରି, ନାଥାନ୍‌ କୌଟର ନାଇଲ୍‌, ଝାଏ ରିଚାର୍ଡସନ୍‌, ମିଚେଲ୍‌ ସ୍ବାପସନ୍‌, ଟମ୍‌ କରନ୍‌, ଲୁଇସ୍‌ ଗ୍ରେଗୋରି, ଆଲେକ୍‌ସ ହେଲ୍‌ସ, ଆଦାମ୍‌ ଲିଥ୍‌, ଆଦିଲ୍‌ ରସିଦ୍‌, ଡେଭିଡ୍‌ ୱିଲି ନିଜ ବେସ୍‌ ପ୍ରାଇସ୍ ୧.୫ କୋଟି ଟଙ୍କା ରଖିଛନ୍ତି । ଆରୋନ୍‌ ଫିଞ୍ଚ୍‌, ଉମେଶ ଯାଦବ, ହନୁମା, ଲାବୁସେନ୍‌, ସେଲଡନ୍‌ କଟ୍ରେଲ୍‌ ପ୍ରମୁଖ ନିଜ ବେସ୍‌ ପ୍ରାଇସ୍‌ ୧ କୋଟି ଟଙ୍କା ରଖିଛନ୍ତି ।

ଖେଳାଳି ନିଲାମରେ ୨୮୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଆଫଗାନିସ୍ତାନର ୩୦, ଅଷ୍ଟ୍ରେଲିଆର ୪୨, ବାଂଲାଦେଶର ୫, ଇଂଲଣ୍ଡର ୨୧, ଆର୍ୟଲାଣ୍ଡର ୨, ନେପାଳ ୮, ନେଦରଲାଣ୍ଡ୍‌ସର ୧, ନ୍ୟୁଜିଲାଣ୍ଡର ୨୯, ସ୍କଟଲାଣ୍ଡର ୭, ଦକ୍ଷିଣ ଆଫ୍ରିକାର ୩୮, ଶ୍ରୀଲଙ୍କାର ୩୧, ୟୁଏଇର ୯, ଆମେରିକାର ୨, ୱେଷ୍ଟଇଣ୍ଡିଜ୍‌ର ୫୬ ଓ ଜିମ୍ବାୱେର ୨ଜଣ କ୍ରିକେଟର୍‌ ରହିଛନ୍ତି ।

Show More
Back to top button