ଦେଶବାଣିଜ୍ୟରାଜ୍ୟ

ବୃଦ୍ଧି ପାଇଲା ରିଫାଇନ୍ ଓ ସୋରିଷ ତେଲ ଦର

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୧୨/୨୦୨୦ : ରିଫାଇନ୍ ଓ ସୋରିଷ ତେଲ ଦାମ୍ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ମାସରେ ତେଲ ଦାମ ୫୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇଛି । ପନିପରିବା ଓ ଡାଲି ସହ ଖାଇବା ତେଲ ଦାମ୍ ବୃଦ୍ଧି ଯୋଗୁଁ ରୋଷେଇ ବଜେଟ ବିଗିଡି ଯାଇଛି । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ପାମ ଅଏଲ ଆମଦାନୀ ଶୁଳ୍କ ୧୦ ପ୍ରତିଶତ କମ୍ କରିଥିଲେ । ବିଦେଶରେ ପାଣିପାଗ ଖରାପ ହେବା ଯୋଗୁଁ ଫସଲ ନଷ୍ଟ ହେବାରୁ ଏବଂ ଦେଶରେ ସମ୍ମିଶ୍ରଣ ବନ୍ଦ ହେବା କାରଣରୁ ତେଲ ଦାମ୍ ବୃଦ୍ଧି ପାଇଛି ।ଏକ ଲିଟର ତେଲ ପ୍ୟାକେଟ ଅଧିକ ମହଙ୍ଗା ହୋଇଛି । ଅଖିଳ ଭାରତୀୟ ଖାଦ୍ୟ ତେଲ ବ୍ୟବସାୟ ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କର କହିଛନ୍ତି ଯେ, ଆର୍ଜେଣ୍ଟିନା ଓ ବ୍ରାଜିଲରେ ମରୁଡି ପଡିବାରୁ ସୋୟାବିନ୍ ଫସଲ ପ୍ରଭାବିତ ହୋଇଛି । ଫଳରେ ସୋୟାବିନ୍ ମହଙ୍ଗା ହୋଇଯାଇଛି । ଅପରପକ୍ଷରେ ଇଣ୍ଡୋନେସିଆ ଓ ମାଲେସିୟାରେ ମଧ୍ୟ ପାମୋଲିନ ଫସଲ ନଷ୍ଟ ହୋଇଯାଇଛି । ଏପଟେ ଦେଶରେ ପାମୋଲିନ୍ ରିଫାଇନାରୀ ବହୁତ କମ୍ ଅଛି । କେବଳ ମହାରାଷ୍ଟ୍ରରେ ହିଁ ଦୁଇଟି ରିଫାଇନାରୀ ଅଛି । ଯାହାଫଳରେ ଚାହିଦା ପୁରା କରିବା ଅସମ୍ଭବ ହୋଇଛି । ଏପଟେ ଦେଶରେ ଅଦି ନିଆ ବର୍ଷା ଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶଙ୍କର ଠକ୍କରଙ୍କ କହିବାନୁସାରେ, ୧୫ ଲିଟର ବିଶିଷ୍ଟ ପାମ ତେଲ ଟିଣ ୧୨୦୦ ରୁ ୧୭୫୦ ଟଙ୍କା ହୋଇଛି ।

ସୂର୍ଯ୍ୟମୁଖୀ ତେଲ ୧୫୦୦ ରୁ ୧୯୫୦ ଟଙ୍କା ହୋଇଛି । ସୋରିଷ ତେଲ ଟିଣ ୧୭୫୦ ରୁ ୨୨୫୦ ଟଙ୍କା ହୋଇଥିବାବେଳେ ବାଦାମ ତେଲ ୧୭୫୦ ରୁ ୨୨୦୦ ଟଙ୍କା ହୋଇଛି । ଏକ ଲିଟର ପାମ ତେଲ ପ୍ୟାକେଟ ୭୫ ରୁ ୧୧୦ ଟଙ୍କା ହୋଇଥିବାବେଳେ ଏକ ଲିଟର ସୂର୍ଯ୍ୟମୁଖୀ ତେଲ ପ୍ୟାକେଟ ୯୮ ରୁ ୧୩୦ ଟଙ୍କା ହୋଇଛି । ଏକ ଲିଟର ସୋରିଷ ତେଲ ପ୍ୟାକେଟ ୧୧୦ ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି । କିଛି ଖାସ ବ୍ରାଣ୍ଡର ତେଲ ଲିଟର ପ୍ରତି ୧୯୦ ଟଙ୍କାରେ ବିକ୍ରି ହେଉଛି । ବାଦାମ ତେଲ ଲିଟର ପ୍ରତି ୧୧୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି ।

Show More
Back to top button