ନ୍ୟୁଜ୍ରାଜ୍ୟ

ରେକର୍ଡ: ଭିତରକନିକାରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି

ସତ୍ୟଶିଖା(ଭୁବନେଶ୍ୱର )୨୦.୦୯ . ୨୦୨୨: କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ବଢିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ଗତ ଚାରିବର୍ଷର ରେକର୍ଡ ଭାଙ୍ଗିଛନ୍ତି ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ଆଗମନ । ବର୍ଷାଋତୁ ଆରମ୍ଭରେ ପକ୍ଷୀ ମାନଙ୍କ ଭୂସ୍ବର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ବଢ଼ିଛନ୍ତି ଦେଶୀୟ ପକ୍ଷୀ । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ହୋଇଥିବାରୁ ପକ୍ଷୀ ଓ ପରିବେଶ ପ୍ରେମୀ ବେଶ ଖୁସି ଅଛନ୍ତି । ଗତବର୍ଷ ଜାତୀୟ ଉଦ୍ୟାନରେ ମୋଟ ୧୦୮୬୩୯ଟି ପକ୍ଷୀ ରହିଥିବା ଗଣନା କରାଯାଇଥିଲା ବେଳେ ଚଳିତବର୍ଷ ଦେଶୀୟ ପକ୍ଷୀମାନଙ୍କ ସଂଖ୍ୟା ୧୧୬୦୭୦ ରହିଥିବା ସୂଚନା ଦେଇଛନ୍ତି ରେଞ୍ଜର । ଫଳରେ ଚଳିତ ବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୭୪୩୧ ବୃଦ୍ଧି ହୋଇଛି ।
ଗତ ସେପ୍ଟେମ୍ବର ୮ ତାରିଖରୁ ଚାରିଜଣ ସଦସ୍ୟ ବିଶିଷ୍ଟ ତିନୋଟି ଟିମ ଭିତରକନିକା ଜାତୀୟ ଉଦ୍ୟାନର ତିନୋଟି ସ୍ଥାନ ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆ ଭଳି ସ୍ଥାନରେ ଥିବା ଗଛମାନଙ୍କରେ ପକ୍ଷୀ ଗଣା ସହ ବସା ମଧ୍ୟ ଗଣନା କରିଥିଲେ । ଗଣନା ପରେ ପକ୍ଷୀ ସଂଖ୍ୟା ବୃଦ୍ଧି ହେବା ନେଇ ସୂଚନା ମିଳିଛି । ଗତ ୪ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ପକ୍ଷୀ ଭିତରକନିକାକୁ ଆଗମନ କରିଛି ।ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୭୪୩୧ଟି ଅଧିକ ଦେଶୀୟ ପକ୍ଷୀ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଛନ୍ତି। ଚଳିତବର୍ଷ ଜାତୀୟ ଉଦ୍ୟାନର ତିନୋଟି ସ୍ଥାନରେ ମୋଟ ୨୪୪୬୪ଟି ବସା ଚିହ୍ନଟ କରାଯାଇଛି। ଦେଶୀୟ ପକ୍ଷୀଙ୍କ ମଧ୍ୟରେ ଆଡଲ୍ଟ(ବଡ଼/ପ୍ରାପ୍ତ)ଙ୍କ ସଂଖ୍ୟା ୪୮୯୨୮ ରହିଥିବା ବେଳେ ଅଣ୍ଡାରୁ ଫୁଟିଥିବା ବା ନୂତନ ଭାବେ ଉଡୁଥିବା ଛୋଟ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ରହିଛି ୬୭୧୪୨, ଯାହାକି ବଡ଼ ପକ୍ଷୀଙ୍କ ଅପେକ୍ଷା ୨୦ହଜାର ଉର୍ଦ୍ଧ୍ବ ବୋଲି ଗଣନା ରିପୋର୍ଟ କହୁଛି।

Show More
Back to top button