

ସତ୍ୟଶିଖା (ଭୁବନେଶ୍ୱର) ୨୬.୦୩.୨୦୨୨: ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା’ ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ। ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ ଜଷ୍ଟିସ ବିଜୟକୃଷ୍ଣ ପଟେଲ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।
ମାନବାଧିକାର କମିଶନ ଜଷ୍ଟିସ ବିଜୟକୃଷ୍ଣ ପଟେଲ, ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ ଖଣ୍ଡପୀଠ ଏହି ସୁପାରିଶ କରଛନ୍ତି। ଏହାସହ ଆସନ୍ତା ୬ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ। ମାତୃତ୍ୱ ସୁବିଧା ଆଇନରେ ସଂଶୋଧିତ ଧାରା ଅନୁସାରେ ୫୦ରୁ ଅଧିକ ମହିଳା କର୍ମଚାରୀ ଥିବା ସଂସ୍ଥାରେ କ୍ରେଚ ବ୍ୟବସ୍ଥା ରହିବ। ସଚିବାଳୟ, ଉଚ୍ଚ ଅଦାଲତ ଓ ତୋଷାଳି ଭବନ ଭଳି ସ୍ଥାନରେ ଏହା ନଥିବାରୁ ମାନବାଧିକାର କର୍ମୀ ଏନେଇ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।