
ସତ୍ୟଶିଖା (ଭୁବନେଶ୍ଵର) ୨୫/୧୧/୨୦୨୦ : ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ବଡ଼ଧରଣର ବ୍ୟାଙ୍କ ଠକେଇ ସାମ୍ନାକୁ ଆସିବାକୁ ଲାଗିଛି । ରାୟଗଡ଼ାରେ ଆନ୍ଧ୍ର ବ୍ୟାଙ୍କ(ୟୁନିଅନ୍ ବ୍ୟାଙ୍କ)ରୁ ୪୪ କୋଟି ଟଙ୍କାର ଠକେଇ ନେଇ ଅଭିଯୋଗ ହୋଇଛି । ବ୍ୟାଙ୍କକୁ ସୁଧ ମୂଳ ସହ ୪୪ କୋଟି ଟଙ୍କାର ଚୂନ ଲଗାଇଛନ୍ତି ରାୟଗଡ଼ାର ଏକ ଦମ୍ପତି । କମ୍ପାନିର କନଷ୍ଟ୍ରକସନ୍ କାମ ପାଇଁ ବ୍ୟାଙ୍କରୁ ଋଣ ଆଣିଥିଲେ । କିନ୍ତୁ ପରେ ଆଉ ପରିଶୋଧ କରି ନ ଥିଲେ । ଋଣ ଟଙ୍କା ବଢ଼ି ବଢ଼ି ୪୪ କୋଟି ଟଙ୍କାରେ ପହଞ୍ଚିଲାଣି । ବଡ଼ଧରଣର ଠକେଇ ସଂକ୍ରାନ୍ତରେ ଜଣାପଡ଼ିବା ପରେ ୟୁନିଅନ୍ ବ୍ୟାଙ୍କର ରାୟଗଡ଼ା ରିଜିଓନାଲ୍ ଅଫିସ ମୁଖ୍ୟ ଏଜିଏମ୍ ହେମନ୍ତ କୁମାର ପ୍ରଧାନ ଗତକାଲି ରାୟଗଡ଼ାର ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ ବିରୋଧରେ ସିବିଆଇ ଭୁବନେଶ୍ବର ଶାଖାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଚାଭା ଶିବରାମକ୍ରିଷ୍ଣା, ନିର୍ଦ୍ଦେଶକ ତଥା ଶିବରାମଙ୍କ ପତ୍ନୀ ଚାଭା ନୀଳିମା ଏବଂ କମ୍ପାନି ବିରୋଧରେ ଏହି ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା-୧୨୦(ବି), ୪୨୦ ଏବଂ ଦୁର୍ନୀତି ନିବାରଣ ଦଫା ଲାଗିଛି । ଋଣ ମଞ୍ଜୁର ସମୟରେ ବ୍ୟାଙ୍କର ତତ୍କାଳୀନ ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ସିବିଆଇ ମାମଲା ରୁଜୁ କରିବା ସହ ବ୍ୟାଙ୍କ ଶାଖା, କମ୍ପାନି କାର୍ଯ୍ୟାଳୟ, ନିର୍ଦ୍ଦେଶକଙ୍କ ଘରେ ସମେତ ରାୟଗଡ଼ାର ଏକାଧିକ ସ୍ଥାନରେ ଆଜି ଚଢ଼ଉ କରିଛି ।ଅଭିଯୋଗରୁ ଜଣାପଡ଼ିଛି, ରାୟଗଡ଼ାର କସ୍ତୁରୀନଗର ସ୍ବର୍ଯ୍ୟ କମ୍ପ୍ଲେକ୍ସରେ ଥିବା ତରୁଣଶ୍ରୀ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି କନଷ୍ଟ୍ରକ୍ସନ କାମ ପାଇଁ ଆନ୍ଧ୍ର ବ୍ୟାଙ୍କ ଶାଖା(ୟୁନିଅନ୍ ବ୍ୟାଙ୍କ)ରୁ ୨୦ କୋଟି ୬୯ ଲକ୍ଷ ଟଙ୍କାର ଋଣ ନେଇଥିଲା । ଏହି ଋଣ କାରବାର ୨୦୧୩ରୁ ୨୦୧୫ ଭିତରେ ହୋଇଥିଲା । ତେବେ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଆନ୍ଧ୍ରବ୍ୟାଙ୍କ ୟୁନିଅନ୍ ବ୍ୟାଙ୍କ ସହ ମିଶି ଯାଇଥିଲା । ଋଣ ପରିଶୋଧ ନ ହେବାରୁ ୟୁନିଅନ୍ ବ୍ୟାଙ୍କ କର୍ତ୍ତୃପକ୍ଷ ଖୋଳତାଡ଼ କରିବାରୁ ବଡ଼ଧରଣର ଠକେଇ ହୋଇଥିବା ସାମ୍ନାକୁ ଆସିଛି ।
ବ୍ୟାଙ୍କ ପକ୍ଷରୁ ହୋଇଥିବା ଖୋଳତାଡ଼ରୁ ଜଣାଯାଇଛି, ତରୁଣଶ୍ରୀ କଟନ୍ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ଟଙ୍କା ଯିବା ପରିବର୍ତ୍ତେ ଏହା କମ୍ପାନି ଏମ୍ଡି, ନିର୍ଦ୍ଦେଶକ ଓ ସହଯୋଗୀ କମ୍ପାନିର ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର୍ ହୋଇଥିଲା । ସେହିପରି ନିର୍ଦ୍ଦେଶକଙ୍କ ନାଁରେ ଥିବା ଅନ୍ୟ କମ୍ପାନି ଆକାଉଣ୍ଟକୁ ଏହି ଋଣ ଟଙ୍କା ଯାଇଥିଲା । ଯେଉଁ କନଷ୍ଟ୍ରକସନ୍ କାମ ପାଇଁ ଋଣ ମଞ୍ଜୁର ହୋଇଥିଲା, ତାହା କୌଣସି ଇଞ୍ଜିନିୟରଙ୍କ ଦ୍ବାରା ହିସାବ କରା ଯାଇ ନଥିଲା । ବିନା ଇଞ୍ଜିନିୟରଙ୍କ ହିସାବ ରିପୋର୍ଟରେ କାହିଁକି ୨୦କୋଟି ୬୯ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି । ଋଣ ମଞ୍ଜୁର କରିଥିବା ତତ୍କାଳୀନ ବ୍ୟାଙ୍କ ଅଧିକାରୀଙ୍କର ଏଥିରେ କ’ଣ ଭୂମିକା ରହିଛି, ତାହା ମଧ୍ୟ ସିବିଆଇର ଯାଞ୍ଚ ପରିସରକୁ ଆସିଛି । କମ୍ପାନିର ଏମ୍ଡି ଚାଭା ଶିବ ରାମକ୍ରିଷ୍ଣଙ୍କ ନାଁରେ ୮ କୋଟି ୩୫ ଲକ୍ଷ, ନିର୍ଦ୍ଦେଶକ ଚାଭା ନୀଳିମାଙ୍କ ନାଁରେ ୧୫ କୋଟି ୫୦ ଲକ୍ଷ, ଗ୍ୟାରେଣ୍ଟର୍ସ ପଡ଼ିଥିବା ୧୨ କୋଟି ୨୯ ଲକ୍ଷ ଏବଂ ସୁଧ ପରିମାଣ ମିଶାଇ ମୋଟ ୪୭ କୋଟି ୭୭ ଲକ୍ଷ ଟଙ୍କା ହୋଇଥିବା ହିସାବରୁ ଜଣାପଡ଼ିଛି । ଋଣ ଆବେଦନ ସମୟରେ କମ୍ପାନିର ମେସିନ୍ ଲାଗି ନ ଥିଲା କିମ୍ବା ଅପରେସନ୍ ମଧ୍ୟ ଆରମ୍ଭ ହୋଇ ନ ଥିଲା । କିନ୍ତୁ ଯେଉଁ କ୍ଷେତ୍ରକୁ ଆଧାର କରି ଏହି ଋଣ ମଞ୍ଜୁର କରାଯାଇଛି, ତାହା ସର୍ତ୍ତର ଖିଲାପ ବୋଲି ଦର୍ଶାଯାଇଛି । ଏମିତି ଏକାଧିକସ୍ଥଳରେ ଜାଲ କାଗଜପତ୍ର ତିଆରି କରାଯାଇ ଯୋଜନାବଦ୍ଧ ଭାବେ ବ୍ୟାଙ୍କକୁ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗିରଫ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଏଥିରେ ବ୍ୟାଙ୍କରେ କେଉଁ ଅଧିକାରୀଙ୍କ ସମ୍ପୃକ୍ତି ରହିଛି, ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଭୁବନେଶ୍ଵରର ଲୁଇସ୍ ରୋଡ୍ରେ ଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍ ଲିମିଟେଡ୍ କମ୍ପାନି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଷ୍ଟେସନ ସ୍କୋୟାର ଶାଖାରୁ ୩୨କୋଟି ଟଙ୍କାର ଋଣ ଠକେଇ ନେଇ ଗତ ଜୁନ୍ ୯ ତାରିଖରେ ସିବିଆଇରେ ମାମଲା ରୁଜୁ ହୋଇଥିଲା । କମ୍ପାନିର ଏମ୍ଡି ଅବିନାଶ ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ କୌଶିକ ମହାନ୍ତି ଏବଂ ଅଂଶୁମାନ ସାମନ୍ତରାୟ, ନିର୍ଦ୍ଦେଶକ ବିଧୁଭୂଷଣ ନାୟକ, ବ୍ୟାଙ୍କର ତତ୍କାଳୀନ ମହାପ୍ରବନ୍ଧକ ନାଗମଣି ସତ୍ୟନାରାୟଣ ପ୍ରକାଶ, ଏଜିଏମ୍ ସି.ଏସ୍ ଶର୍ମା, ମୁଖ୍ୟ ପ୍ରବନ୍ଧକ ମନୋରଞ୍ଜନ ଦାସ, ବ୍ୟାଙ୍କର ବରିଷ୍ଠ ଅଧିକାରୀ ପ୍ରିୟତୋଷ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସିବିଆଇ ଭୁବନେଶ୍ଵର, ବିଶାଖାପାଟଣାମ୍, ଦିଲ୍ଲୀ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା । ଅବିନାଶଙ୍କ ପତ୍ତା ମିଳି ନ ଥିବା ବେଳେ ଏହି ମାମଲାରେ ଏଯାଏ କାହାରିକୁ ଗିରଫ କରାଯାଇ ନାହିଁ ।