

ସତ୍ୟଶିଖା( ସୁନ୍ଦରଗଡ଼ ) ୦୩.୦୨.୨୦୨୨ : ପୌରାଣିକ କିମ୍ବଦନ୍ତିରେ ଗରୁଡ଼ ପକ୍ଷୀ ସୀତା ହରଣ ସମୟରେ ଏକ ବିଶେଷ ଭୂମିକା ନିର୍ବାହ କରିଥିବାରୁ ପକ୍ଷୀର ଦର୍ଶନ ଓ ଏହି ପକ୍ଷୀକୁ ଲୋକେ ଶୁଭ ସଙ୍କେତ ବୋଲି ମାନିଥାନ୍ତି। ସବଡେଗା ବନ ସେକ୍ସନ ଅନ୍ତର୍ଗତ ଡମକୁଡ଼ା ଆଦିବାସୀପଡ଼ାରେ ଆଜି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାରକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି ଜାଣିବା ପରେ ଫୁଲ, ଚନ୍ଦନ ଦେଇ ପୂଜାପାଠ ଆରମ୍ଭ କରିବାରୁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା। ମିଳିଥିବା ସୂତ୍ରରୁ ପ୍ରକାଶ, ଆଜି ସକାଳେ ଡମକୁଡ଼ା ଗ୍ରାମର ଆଦିବାସୀପଡ଼ାର ଶିବଲାଲ ଡନସନାଙ୍କ ବାରିପଟେ ଏହି ପକ୍ଷୀଟି ପ୍ରଥମେ ଦୃଷ୍ଟିଗୋଚର ହୋଇଥିଲା। ତୁରନ୍ତ ଶହ ଶହ ଲୋକ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମବାସୀମାନେ ଏହି ପକ୍ଷୀକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ସବଡେଗା ବନପାଳ ଅନିଲ କୁମାର ପୁରୋହିତଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଗରୁଡ଼ ପକ୍ଷୀ ଏ ଅଞ୍ଚଳରେ ବିରଳ କହିବା ସହ ଏହା ଗରୁଡ଼ ପକ୍ଷୀ ବୋଲି ସ୍ବୀକାର କରିଥିଲେ।






